ବଲାଙ୍ଗିର, ଆଦିବାସୀ ଅଧ୍ୟୁଷିତ ଟିଟିଲାଗଡ଼ ବ୍ଲକ ସୁର୍ଡ଼ା ଗାଁରେ ଉପଖଣ୍ଡ ସ୍ତରୀୟ ବିଶାଳ ଆଦିବାସୀ ମେଳି ଅନୁଷ୍ଠିତ ହୋଇଯାଇଛି । ପାରମ୍ପରିକ ବେଶ ଭୂଷା ଏବଂ ଅସ୍ତ୍ରଶସ୍ତ୍ର ସହିତ ଡକା ଢ଼ାପ ବାଦ୍ୟର ତାଳେ ତାଳେ ଆଦିବାସୀ ମାନେ ନିଜର ପ୍ରାଚୀନ ନୃତ୍ୟ ଗୀତ ପରିବେଷଣ କରି ଗ୍ରାମ ପରିକ୍ରମା କରିଥିଲେ । ଯାନୀ ଝାଙ୍କର ଦେହେରୀ ସହିତ ଆଦିବାସୀଙ୍କ ଇଷ୍ଟ ଦେବୀ ଜାଡେନ, ଧରନୀ, ଚକ୍ରଧାରଙ୍କୁ ପୂଜାପାଠ କରିଥିଲେ । ପରେ ଉତ୍କଳ କନ୍ଧ ସମାଜ ଲୁହା ପ୍ରଗଣା ସଭାପତି ଚୈତନ୍ୟ ମାଝିଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା । ଶିକ୍ଷା ଅଧିକାର ଆଇନ ଅନୁସାରେ ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କୁ କିସ ଢାଞ୍ଚାରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ନିଃଶୁଳ୍କ ପୋଷ୍ଟ ଗ୍ରାଜୁଏଟ ପର୍ଯ୍ୟନ୍ତ ଉଚ୍ଚ ଶିକ୍ଷା, ଗୁଣାତ୍ମକ ଶିକ୍ଷା, ବୈଷୟିକ ଶିକ୍ଷା ପ୍ରଦାନ କରିବା, ନକଲି ଆଦିବାସୀ କର୍ମଚାରୀ ମାନଙ୍କୁ ଚାକିରୀରୁ ବହିଷ୍କୃତ କରିବା, ବେଆଇନ ଦଖଲ ସୂତ୍ରରେ ଅଣ ଆଦିବାସୀଙ୍କ କବ୍ଜାରେ ଥିବା
ଆଦିବାସୀ ଜମି ଫେରସ୍ତ କରିବା, ଆଦିବାସୀ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ବୃଦ୍ଧି, ମେଡିକାଲ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ସକାଶେ ଶତକଡା ୨୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବା, ଦାଦନ ଚାଲାଣ ରୋକିବା ପାଇଁ ଗରିବ ଆଦିବାସୀ ମାନଙ୍କୁ ସ୍ୱତନ୍ତ୍ର ଆର୍ଥିକ ସହାୟତା ପ୍ରଦାନ କରିବା, ଏଟ୍ରୋସିଟି ମାମଲାରେ ପୀଡିତ ପରିବାରକୁ ଏସଟି ଏସସି ନିର୍ଯାତନା ନିବାରଣ ଆଇନ ଅନୁସାରେ ସୁରକ୍ଷା ପ୍ରଦାନ, ଆଦିବାସୀ ସଂସ୍କୃତି ପୀଠର ସୁରକ୍ଷା, ଆଦିବାସୀଙ୍କ ଜମି, ଜଳ, ଜଙ୍ଗଲ ଓ ଜୀବନ ଜୀବିକାର ସୁରକ୍ଷା ଦିଗରେ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଆଦିବାସୀ ମାନେ ଦାବୀ କରିଥିଲେ । ଆଦିବାସୀଙ୍କ ସମସ୍ୟା ସମାଧାନ କରିବା ଦିଗରେ ସରକାର ଅବହେଳା କଲେ ସାଲିସ ବିହୀନ ସଂଗ୍ରାମ କରିବାକୁ ଆଦିବାସୀ ମାନେ ଚେତାବନୀ ଦେଇଥିଲେ ।
ଏହି ମହାମେଳି ମଞ୍ଚରେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ ବିଶି ଓ ଅନ୍ୟମାନେ ଉପସ୍ଥିତ ଥିଲେ ।