ରାଉରକେଲା, ରାଉରକେଲା ପୁଲିସ ଜିଲ୍ଲାରେ ପୁଲିସ ଲୋକଙ୍କୁ ସିଙ୍ଗିଲ ହେଲମେଟ ପିନ୍ଧିବା ନେଇ ସଚେତନ କରାଇପାରିଥିବା ବେଳେ, ସହରରେ ଖୋଲାଖୋଲି ବିନା ହେଲମେଟରେ ଦୁଇଚକିଆ ଚାଳକ ମାନେ ଯାତାୟତ କରୁଛନ୍ତି, ସେପଟେ ସିଙ୍ଗିଲ ହେଲମେଟ ସହ ମାସ୍କ ପିନ୍ଧି ଯାଉଥିବା ଗାଡି ଚାଳକ ମାନେ ପଛରେ ଯଦି ଭୁଲବଶତଃ ଜଣକୁ ବିନା ହେଲମେଟରେ ନେଇଯାଉଥିବା ପୁଲିସ ଦେଖୁଛି ତେବେ ତୁରନ୍ତ ତାହାର ଫଟୋ ଉଠାଇ ନେଇ ଜରିମାନା ଲଗାଇ ଦେଉଛି । ପୁଲିସିର ଏଭଳି କାରବାରକୁ କେବଳ ଫାଇନ ଆଦାୟ କରି ସରକାରଙ୍କୁ ମୋଟା ଅଙ୍କର ଅର୍ଥ ପ୍ରଦାନ କରି ନିଜ ଚାକିରୀ ବଂଚାଇବା ଲାଗି ଚେଷ୍ଟା ବୋଲି କୁହାଯାଉଛି । ପାନପୋଷ ଛକ ପୂର୍ବରୁ ସରକାରୀ କଲେଜ ନିକଟରେ ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ଜଣେ ପୁଲିସି ଅଫିସର ଗାଡିରେ ବସିଥିବା ବେଳେ କିଛି କନେଷ୍ଟବଳ ମୋବାଇଲରେ ଫଟୋ ଉଠାଇବାରେ ବ୍ୟସ୍ତ । ଟ୍ରାଫିକ ଆଇନକୁ ସଠିକ୍ ଭାବେ କାର୍ଯ୍ୟକାରୀ କରାଯାଉ, ଲୋକଙ୍କୁ ଏହାର ପାଳନ ଲାଗି ବାଧ୍ୟ କରାଯାଉ, ଏହା ନିଶ୍ଚୟ ସ୍ୱାଗତ ଯୋଗ୍ୟ ପଦକ୍ଷେପ । କିନ୍ତୁ, ପାନପୋଷ ବଜାର ନିକଟରେ ସେଦିନ ଶହ ଶହ ଲୋକେ ବିନା ହେଲମେଟ, ବିନା ମାସ୍କରେ ଆରାମରେ ଯାତାୟତ କରୁଥିବା ଦୃଶ୍ୟ ପୁଲିସକୁ ଦେଖା ଯାଉ ନଥିବା ବେଳେ ନିରୋଳା ରାସ୍ତାରେ ଠିଆ ହୋଇ ପୁଲିସ ଆରାମରେ ଡ଼ବଲ ହେଲମେଟ ପିନ୍ଧିନଥିବା ଗାଡି ବାଲାଙ୍କୁ ଧରିବା ଆଲୋଚନାର ବିଷୟ ହୋଇଛି । ରାଉରକେଲା ସହରରେ ଟ୍ରାଫିକ ବ୍ୟବସ୍ଥା ଏକ ପ୍ରକାର ଭୁଷୁଡି ପଡିଛି । ମୁଖ୍ୟ ବଜାର ଅଂଚଳରେ ମନଇଚ୍ଛା ଲୋକେ କାର୍ ରଖୁଥିବାରୁ ଦୁଇ ଚକିଆ ଗାଡି ବାଲା ଯାତାୟତରେ ନାନା ସମସ୍ୟାରେ ପଡୁଛନ୍ତି । ଏପରିକି ବେଳେ ବେଳେ ଘଂଟା ଘଂଟା ଧରି ରାସ୍ତା ଜାମ୍ ରହୁଛି । କରୋନାକୁ ନେଇ ସରକାର ଅନେକ କଥା କହିୁଛନ୍ତି, ହେଲେ ଏବେ ରାଉରକେଲା ସହରରେ ଲୋକେ ମାସ୍କକୁ ଭୁଲି ସାରିଲେଣି, ଅନେକ ଦୁଇ ଚକିଆ ଗାଡି ସହରରେ ଦୃତ ଗତିରେ ଯିବା ସହ ସେସବୁ ଗାଡିରୁ ବାହାରୁ ଥିବା ସାଉଣ୍ଡ ଲୋକଙ୍କୁ ବ୍ୟତିବ୍ୟସ୍ତ କରି ଦେଉଛି । ବୁଢାବୁଢୀ ମାନେ ପଡିଯାଉଛନ୍ତି କିନ୍ତୁ ପୁଲିସ ବ୍ୟବସ୍ଥାର ଏ ଦିଗରେ ନଜର ନାହିଁ । କେବଳ ନିରୋଳା ରାସ୍ତାରେ ଛାଇରେ ଠିଆ ହୋଇ ଆଇନକୁ କିଛିଟା ପାଳନ କରୁଥିବା ଲୋକଙ୍କ ଉପରେ ଜୁଲୁମ କରାଯାଇ ଫାଇନ ଆଦାୟ କରାଯାଇ ନିଜର ବାଃ ବାଃ ଲାଗି ପୋଲିସ ବ୍ୟସ୍ତ ଥିବା କୁହାଯାଉଛି । ରାଉରକେଲା ସହରର ବିଦେଶୀ ମଦ ଦୋକାନ ଗୁଡିକ ପାଖରେ ମଦ ଆଣିବାକୁ ଯାଉଥିବା ଗରାଖ ମାନେ ହେଲମେଟ ପିନ୍ଧି ନଥିବା ଦୃଶ୍ୟ ପୁଲିସ ବାଲାଙ୍କୁ ଦେଖାଯାଉନି । ମଦୁଆ ଚିତ୍କାରରେ ସେଠିକାର ବାସିନ୍ଦା ମଧ୍ୟ ଅସ୍ତବ୍ୟସ୍ତ, କିନ୍ତୁ ଏସବୁ ପୁଲିସ ବାଲାଙ୍କୁ ଦେଖାଯାଉନଥିବା ଅଭିଯୋଗ ହେଉଛି ।