ବଲାଙ୍ଗିର, ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ ଉପଖଣ୍ଡ ଏକ ଦାଦନ ପ୍ରବଣ ଅଞ୍ଚଳ ହୋଇଥିବାବେଳେ ଏଠାରେ ସବୁ ସମୟରେ ଦାଦନ ଶ୍ରମିକ ଉଦ୍ଧାରର ଦୃଶ୍ୟ ଦେଖିବାକୁ ମିଳେ । ସୂଚନାଯୋଗ୍ୟ ଯେ, ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଥାନା ଅଞ୍ଚଳର ୧୨ ଜଣ ଦାଦନ ଶ୍ରମିକ ଆଜି ହରିଶଙ୍କର/ବାଲିଜୋର ଛକରୁ ଉଦ୍ଧାର ହୋଇଥିବା ଜଣାପଡିଛି । ଆଜି ପୂର୍ବାହ୍ନ ୧୧ ଟା ସମୟରେ ଖପ୍ରାଖୋଲ ପୋଲିସ ଭେଲୁଆଁଖୋଲ, ଚାଉଳବାଞ୍ଜି, ମହରାପଦର, ବନମାଲ, ଧଣ୍ଡାମୁଣ୍ଡା ଆଡ଼କୁ ପେଟ୍ରୋଲିଂ କରୁଥିବା ସମୟରେ ଦୁଇ ତିନି ପରିବାର ହରିଶଙ୍କର ଛକ ଠାରେ ବସ୍ କୁ ଅପେକ୍ଷା କରିଥିବା ଦେଖିବାକୁ ପାଇଥିଲେ ଏବଂ ସେମାନଙ୍କୁ ପଚରାଉଚରା କରିଥିଲେ । ଜାଣିବାକୁ ପାଇଲେ ଯେ ସେମାନଙ୍କୁ ତୁରେକେଲା ବ୍ଲକ ଢୋଲମାନ୍ଦଲ ଗାଁ ର ଦାଦନ ଦଲାଲ୍ ଭୋଜରାମ ପରାଭୁଏ କିଛି ଟଙ୍କା ବଇନା ଦେଇ ହାଇଦ୍ରାବାଦ ଇଟା ଗଢିବା ପାଇଁ ନେଉଛି । ଖପ୍ରାଖୋଲ ପୋଲିସ ଘଟଣାରେ ଭୋଜରାମକୁ ଗିରଫ କରି ଦାଦନ ଶ୍ରମିକ ମାନଙ୍କୁ ଥାନାକୁ ନେଇ ତଦନ୍ତ କରି ଘରକୁ ଛାଡ଼ି ଦେଇଥିଲେ । ଉଦ୍ଧାର ଶ୍ରମିକ ମାନଙ୍କ ମଧ୍ୟରେ ୫ ଜଣ ପୁରୁଷ ଓ ୨ ଜଣ ମହିଳା ସମେତ ୫ ଜଣ ଶିଶୁ ଅଛନ୍ତି । ଶ୍ରମିକ ଚାଲାଣର କୌଣସି କାଗଜପତ୍ର ନଥିବାରୁ ଭୋଜରାମର ନାଁ ରେ ଏତଲା ନମ୍ବର ୧୬୭/୨୦୨୧ ସେକ୍ସନ ୟୁ ଏସ୍ ୪୨୦/୩୭୪/୩୪ ଆଇ,ପି, ସି ଆଇ, ଏସ୍, ଏମ୍,ଡବ୍ଳୁ,ଏସ ଧାରା ୧୯୭୯ ମାମଲା ରୁଜୁ କରି ପରାଭୁଏକୁ କୋର୍ଟ ଚାଲାଣ କରିଥିବା ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି । ମୁଖ୍ୟ ଦଲାଲ୍ ତୁରେକେଲା ଥାନା ଢୋଲମାନ୍ଦଲ ଗାଁ ର ଚମ୍ପୁ ବନଛୋର ଫେରାର ଥିବା ଜଣାପଡିଛି ।
Related Stories
November 22, 2024