
-
ଆଦିବାସୀଙ୍କୁ ଏକ ହୋଇ ଲଢ଼ିବାକୁ ଆହ୍ୱାନ
ବଲାଙ୍ଗିର, ସ୍ୱାଧୀନତାର ଦୀର୍ଘ ସାତ ଦଶନ୍ଧି ପରେ ମଧ୍ୟ ବେଲପଡା ବ୍ଲକ ଚିର ଅବହେଳିତ ହୋଇ ପଡ଼ିରହିଛି । ଦାଦନ ପ୍ରପୀଡ଼ିତ, ମରୁଡ଼ି ପ୍ରପୀଡ଼ିତ, ବେକାରୀ ଯୁକ୍ତ ହୋଇ ଆଜି ପର୍ଯ୍ୟନ୍ତ ରହିଆସିଛି । ବ୍ଲକକୁ ପ୍ରଶାସନ ଓ ରାଜନେତା ମିଶି ସବୁବେଳେ ଲୁଣ୍ଠନ କରି ଚାଲିଥିବା ବେଳେ ଗରିବ ଜନସାଧାରଣ, ଆଦିବାସୀ ଜନସାଧାରଣ, ଦଳିତ ଜନସାଧାରଣ ସବୁବେଳେ ସବୁ କ୍ଷେତ୍ରରେ ଅବହେଳିତ ଅବସ୍ଥାରେ ଅଛନ୍ତି। ସରକାର ଆଜି ପର୍ଯ୍ୟନ୍ତ ଦାଦନ ମୁକ୍ତ କରିପାରିନାହିଁ, ଚାଷୀର ଜମିକୁ ଜଳସେଚନ କରିପାରିନାହିଁ, ବେକାର ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦେଇପାରିନାହିଁ, ଶ୍ରମିକ ମାନଙ୍କୁ କର୍ମ ନିଯୁକ୍ତି ଦେଇ ପାରିନି, ଶିକ୍ଷା କ୍ଷେତ୍ରରେ ପଛୁଆ ରଖିଛି, ଗାଁ ମାନଙ୍କରେ ଆଜି ବି ମୌଳିକ ଅଧିକାରରୁ ବଞ୍ଚିତ ଅଛନ୍ତି ଲୋକେ । ଏହି ସମସ୍ତ ସମସ୍ୟାର ସମାଧାନ କରିବାକୁ ହେଲେ ସବୁ ଆଦିବାସୀ ମାନଙ୍କୁ ଏକ ହୋଇ ଲଢେଇ କରିବାକୁ ହେବ, ପ୍ରତିବାଦ କରିବାକୁ ହେବ ବୋଲି ଆଜି ମୁନାପାଲି ଠାରେ ଅନୁଷ୍ଠିତ ସଭାରେ ବକ୍ତା ମାନେ ନିଜ ନିଜ ଭାଷଣରେ ଆହ୍ୱାନ କରିଥିଲେ ।
ଆଗାମୀ ପଞ୍ଚାୟତ ନିର୍ବାଚନକୁ ସ୍ଵଚ୍ଛ ନିର୍ମଳ କରିବାକୁ ହେଲେ ଆଦିବାସୀ ସଂରକ୍ଷିତ ଆସନ ଓ ଅଣସଂରକ୍ଷିତ ଆସନରେ ନିର୍ବାଚନ ନକରି ଚୟନ ପ୍ରକ୍ରିୟା ମାଧ୍ୟମରେ କରାଯିବ । ଦେବାଦେବୀ ପୀଠ, ସଂସ୍କୃତି, ପରମ୍ପରାକୁ ବଜାୟ ରଖିବା । ସମାଜକୁ ଏକ ବିକଶିତ ସମାଜ କରିବାକୁ ହେଲେ ମଦକୁ ଛାଡି ଶିକ୍ଷାକୁ ଗ୍ରହଣ କରି ଅନ୍ୟ ଜାତି ଭଳି ନିଜକୁ ଗଢ଼ି ଚାଲିବା ।
ଆଜିର ଏହି ଆଦିବାସୀ ମେଳିରେ ବେଲପଡା ବ୍ଲକ ସଭାପତି ବସନ୍ତ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ସଂଘର ମହାସଚିବ ନିରଞ୍ଜନ ବିଶି, ସମ୍ମାନିତ ଅତିଥି ଭାବରେ ପୁରୁଷୋତ୍ତମ ଧରୁଆ, ଗିରିରାଜ ଭୋଇ, କପୁର୍ଚ୍ଚନ ଛତ୍ରୀଆ, ସଞ୍ଜୀବ ଛତ୍ରୀଆ, କଳାକାହ୍ନୁ ବରିହା ଯୋଗଦେଇ ଅଭିଭାଷଣ ପ୍ରଦାନ କରିଥିଲେ । ସର୍ବ ପ୍ରଥମେ ଗାଁ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ବିଶାଳ ରାଲି କରି ସଭା ସ୍ଥଳରେ ଆଦିବାସୀ ମାନେ ପହଞ୍ଚି ଥିଲେ । ସଭା ପୂର୍ବରୁ ୬୨ ଜାତିର ଆଦିବାସୀ ଦେବାଦେବୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା ଓ ଝିଅ ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ ସହ ପୁଷ୍ପମାଲ୍ୟ ଓ ଉପଢୌକନ ଦେଇ ଅତିଥି ମାନଙ୍କୁ ସ୍ୱାଗତ କରାଯାଇଥିଲା ।
ଅନ୍ୟ ମାନଙ୍କ ମଧ୍ୟରେ ରାଜେନ୍ଦ୍ର ବରିହା, ନିଲମ୍ବର ମାଝୀ, ତ୍ରିଲୋଚନ ମାଝୀ, ଜୟ ଧରୁଆ, ଅର୍ଜୁନ ଭୋଇ, କଲକାନହୁ ବରିହା, ଠୁର୍ଲି ବରିହା, କୁମର ମାଝୀ, ଗଣେଶ ଛତ୍ରୀଆ, ସୁଧୀର କୁଅଁର, କବିଦ ଭୋଇ, ସୁପତି ଛତ୍ରୀଆ ପ୍ରମୁଖ ଯୋଗଦେଇଥିଲେ । ସଭାକୁ ଶ୍ରୀ ଡମ୍ବରୁ ଧର ଧରୁଆ ସଞ୍ଚାଳନ କରିଥିବାବେଳେ ଜୟ ଧରୁଆ ଧନ୍ୟବାଦ ଅର୍ପଣ କରି ସଭା ଶେଷ କରିଥିଲେ ।