
ନୂଆପଡା, “ପାଣି ନାହିଁତ ଭୋଟ ନାହିଁ । ଏମିତି ଧମକ ଦେଇଛନ୍ତି ବୋଡେ଼ନ ବ୍ଲକ କର୍ଲାକୋଟ ଗ୍ରାମ ପଞ୍ଚାୟତର କିରେକେଲା ଗ୍ରାମବାସୀ। ଗାଁରେ ପାଣି ସମସ୍ୟା ଉତ୍କଟ, ଏଥିପାଇଁ ଲୋକେ ନାହିଁ ନଥିବାର ଅସୁବିଧା ଭୋଗ କରୁଛନ୍ତି। ୧୮୦ ପରିବାର ରହୁଥିବା ଗାଁରେ ୧୧୦୦ ଲୋକ ବାସ କରନ୍ତି। ଗାଁରେ ଥିବା ଦୁଇଟି ନଳକୂପ ଥିବା ବେଳେ ମାତ୍ରାଧିକ ଫ୍ଲୋରାଇଡ଼ ବାହାରୁଥିବାରୁ ପ୍ରଶାସନ ତରଫ ପାଣି ବ୍ୟବହାର ନକରିବାକୁ ନାଲି ଛକି ମରାଯାଇଛି। ଲୋକଙ୍କ ଏକମାତ୍ର ଭରସା ପୋଖରୀ ପାଣି। ଗାଁ ନିକଟସ୍ଥ ଏକ ପୋଖରୀରେ ଗାତ ଖୋଲି ପାଣି ସଂଗ୍ରହ କରାଯାଉଛି। ଗାଁର ମହିଳା ମାନେ ରାତି ଅଧରୁ ପାଣି ପାଇଁ ଜଗି ରହନ୍ତି। ଯିବା ଆସିବା ପାଇଁ ବହୁତ ଅସୁବିଧା ହେତୁ ଗର୍ଭବତୀ ମହିଳା ମାନେ ନାନା ସମସ୍ୟାର ସମ୍ମୁଖିନ ହୋଇଥାନ୍ତି ବୋଲି ଅଭିଯୋଗ ହୋଇଛି। ବର୍ଷ ବର୍ଷ ଧରି ପ୍ରଶାସନର ଦ୍ୱାରସ୍ଥ ହେଲେ ମଧ୍ୟ କେହି ଶୁଣୁ ନଥିବା ଲୋକେ କହୁଛନ୍ତି। ଗ୍ରାମରେ ପାନୀୟ ଜଳ ଯୋଗାଣ ପାଇଁ ପଏଣ୍ଟ ସବୁ ବସିଛି କିନ୍ତୁ ପାଣି ଯୋଗାଣ ହେଉନି। ଏହି ଗାଁ ପାଖରେ ତିଖାଲି ଡ୍ୟାମ ଓ ଏହି ଡ୍ୟାମରୁ ପାଣି ବିଶୋଧନ କରି ସବୁ ଘରକୁ ପାଣି ଯୋଗାଇବାର ବ୍ୟବସ୍ଥା କରାଯାଉଛି। କିନ୍ତୁ ଡ୍ୟାମ ପାଖରେ ଥିବା ଏହି ଗାଁ ରେ ପାଣି ସମସ୍ୟା।ଆସନ୍ତା ପଞ୍ଚାୟତ ନିର୍ବାଚନ ପୂର୍ବରୁ ପାଣି ସମସ୍ୟାର ସମାଧାନ ନହେଲେ ଭୋଟ ବର୍ଜନ କରିବେ ବୋଲି ଧମକ ଦେଇଛନ୍ତି ଗ୍ରାମବାସୀ। ପ୍ରକାଶ ଯୋଗ୍ୟ ଯେ ୧୯୯୦ ମସିହାରେ ବୋଡେ଼ନ ବ୍ଲକର କର୍ଲାକୋଟ ଗ୍ରାମରେ ନଳକୂପ ସବୁରେ ଫ୍ଲୋରାଇଡ଼ ମିଶା ପାଣି ବାହାରୁଥିବା ଜଣା ପଡିଥିଲା। ଏହି ପାଣି ପିଇ ଲୋକେ ଅକାଳ ବାର୍ଦ୍ଧ୍ୟକର ଶିକାର ହେଉଥିବା ଜଣା ପଡିଥିଲା। ଲୋକେ ଅଣ୍ଟା ଦରଦ ସହ ଦାନ୍ତ କଳା ଓ ହଳଦିଆ ପଡି ଯାଉଥିବା ଅଭିଯୋଗ କରିଥିଲେ। ପ୍ରଶାସନ ତତ୍ପରତା ପ୍ରକାଶ କରି ସବୁ ନଳକୂପକୁ ଅଚଳ କରି ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରିଥିଲେ। କିରେକେଲା ଏହି ଗ୍ରାମ ପଞ୍ଚାୟତର ଅଧୀନରେ ଆସୁଥିଲେ ମଧ୍ୟ ପ୍ରଶାସନ ଆଖି ବୁଜି ଦେଇଥିବା ପରିତାପର ବିଷୟ ବୋଲି ଲୋକେ କହନ୍ତି। ଏନେଇ ଆରଡବ୍ଲୁଏସଏସ ବୋଡେ଼ନର କନିଷ୍ଠ ଯନ୍ତ୍ରୀ ଅକ୍ଷୟ କୁମାର ସାମଲଙ୍କୁ ପଚାରିବାରୁ ଟେଣ୍ଡର ସରିଯାଇଛି ଓ ଧାନ କଟା ପରେ କାମ ଆରମ୍ଭ ହୋଇଯିବ ବୋଲି କହିଥିଲେ।