ଭୁବନେଶ୍ୱର, ବିଶିଷ୍ଠ ସ୍ୱାଧୀନତା ସଂଗ୍ରାମୀ, ରାଷ୍ଟ୍ରନୀତିଜ୍ଞ, ଓଡ଼ିଶା ଏକତ୍ରୀକରଣର କର୍ଣ୍ଣଧାର, ସଂସ୍କାରକ, ସାରସ୍ୱତ ସାଧକ ପଣ୍ଡିତ ନୀଳକଣ୍ଠ ଦାସଙ୍କ ୫୫ତମ ଶ୍ରାଦ୍ଧ ବାର୍ଷିକ ବିଧାନସଭା ପରିସରରେ ଭାବ ଗାମ୍ଭୀର୍ଯ୍ୟପୂର୍ଣ୍ଣ ପରିବେଶରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଉପବାଚସ୍ପତି ରଜନୀକାନ୍ତ ସିଂ ଯୋଗ ଦେଇ ପଣ୍ଡିତ ନୀଳକଣ୍ଠ ଦାସଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଏବଂ ଶ୍ରଦ୍ଧାଜ୍ଞଳି ଜ୍ଞାପନ କରିଥିଲେ । ପଣ୍ଡିତ ଦାସ ଓଡ଼ିଶାର ଜନଜୀବନରେ ଏକ ମହତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଥିଲେ ଏବଂ ଜଣେ ରାଷ୍ଟ୍ରନୀତିଜ୍ଞ ଭାବରେ ସମାଜକୁ ସେ ଯେଉଁ ଦିଗଦର୍ଶନ ଦେଇଛନ୍ତି ତାହା ଚିର ଦିନ ଅମଳିନ ରହିବ ବୋଲି ଉପବାଚସ୍ପତି ସିଂ ପ୍ରକାଶ କରିଥିଲେ । ଓଡ଼ିଶା ବିଧାନସଭାର ବାଚସ୍ପତି ଭାବରେ ସେ ଯେଉଁ ଭଳି ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ ତାହା ଆମ ସମସ୍ତଙ୍କୁ ଉଦବୁଦ୍ଧ କରୁଥବା ବୋଲି ମଧ୍ୟ ସେ ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲ, ବିଧାନସଭା ସଚିବ ଦାଶରଥୀ ଶତପଥୀ ଏବଂ ବିଧାନସଭାର ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।