ଭୁବନେଶ୍ୱର,ବିଜ୍ଞାନ ଓ କାରିଗରୀ ବିଭାଗ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମିଳିତ ସହଯୋଗରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟର ୩୦ଟି ଜିଲ୍ଲାର ବିଭିନ୍ନ ଅଂଚଳରୁ ୧୧୪ ଜଣ ଶିକ୍ଷକ ବେଙ୍ଗାଲୁରୁ ଯାତ୍ରା କରିଛନ୍ତି । ବେଙ୍ଗାଲୁରୁସ୍ଥିତ ଭାରତୀୟ ବିଜ୍ଞାନ ସଂସ୍ଥାନ ଅଧୀନସ୍ଥ ଚିତ୍ରଦୁର୍ଗଠାରେ ଥିବା ପ୍ରତିଭା ବିକାଶ କେନ୍ଦ୍ରରେ ଏହି ଶିକ୍ଷକମାନେ ଚଳିତ ମାସ ୮ ତାରିଖରୁ ଆରମ୍ଭ ହେଉଥିବା ୧୦ ଦିନିଆ ପ୍ରଶିକ୍ଷଣରେ ଯୋଗଦେବେ । ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ରାଜ୍ୟର ବିଭିନ୍ନ ଅଂଚଳରୁ ମନୋନୀତ ବିଜ୍ଞାନ ଓ ଗଣିତ ଶିକ୍ଷକମାନଙ୍କୁ ଶୁଭକାମନା ଜ୍ଞାପନ କରିଛନ୍ତି । ଏପରି ପ୍ରଶିକ୍ଷଣଜନିତ ଉପଲବ୍ଧି ସେମାନଙ୍କୁ ଅଧିକ ସଶକ୍ତ କରିବ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ଆଶା ପ୍ରକାଶ କରିଛନ୍ତି ।
ପ୍ରଥମ ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଅଂଚଳରୁ ବିଜ୍ଞାନ ଓ ଗଣିତ ଶିକ୍ଷକମାନେ ସାମିଲ ହୋଇଛନ୍ତି । ପ୍ରଶିକ୍ଷଣ ପରେ ବିଜ୍ଞାନ ଓ ଗଣିତ ଶିକ୍ଷକମାନେ ନୂତନ ଧାରାରେ ଶ୍ରେଣୀ ପରିଚାଳନା କରିବାର ଦକ୍ଷତା ହାସଲ କରିବା ସହିତ ଶ୍ରେଣୀ ପାଠ୍ୟଦାନରେ ପରୀକ୍ଷା, ସିଦ୍ଧାନ୍ତ ଓ ତତ୍ୱର ପ୍ରୟୋଗ କରିପାରିବେ । ଶିକ୍ଷକମାନଙ୍କ ପ୍ରଶିକ୍ଷଣ ନିମନ୍ତେ ସମସ୍ତ ବ୍ୟୟ ବିଜ୍ଞାନ ଓ କାରିଗରୀ ବିଭାଗ ବହନ କରିବ ।
ଗତବର୍ଷ ଭାରତୀୟ ବିଜ୍ଞାନ ସଂସ୍ଥାନ ଅଧୀନସ୍ଥ ପ୍ରତିଭା ବିକାଶ କେନ୍ଦ୍ରର ପ୍ରତିନିଧିମଣ୍ଡଳୀ ଓଡ଼ିଶା ଆସି ରାଜ୍ୟର କେତେକ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିବା ସହିତ ଏପରି ପ୍ରଶିକ୍ଷଣ ନିମନ୍ତେ ଗୁରୁତ୍ୱ ପ୍ରଦାନ କରିଥିଲେ । ପ୍ରତିନିଧି ମଣ୍ଡଳୀର ସମ୍ମତି ଅନୁସାରେ ଗଣିତ ଓ ବିଜ୍ଞାନ ଶିକ୍ଷକମାନଙ୍କ ନିମନ୍ତେ ଏପରି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ ସକାଶେ ବେଙ୍ଗାଲୁରୁସ୍ଥିତ ଭାରତୀୟ ବିଜ୍ଞାନ ସଂସ୍ଥାନ ଏବଂ ବିଜ୍ଞାନ ଓ କାରିଗରୀ ବିଭାଗ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା ।