ମାଲକାନଗିରି, ମାଲକାନଗିରି ଜିଲ୍ଲା ବଣ୍ଡା ଘାଟିରେ ଖୋଲିଛି ପ୍ରଥମ ମୁକ୍ତାକାଶ ପାଠାଗାର । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକର ବଣ୍ଡାଘାଟି ସ୍ଥିତ ମୁଦୁଲିପଡା ଠାରେ ବଡ ଦିଦି ସ୍ବେଛାସେବି ଅନୁଷ୍ଠାନର କର୍ମକର୍ତ୍ତା ଓ ସ୍ଥାନୀୟ ଯୁବତୀଙ୍କ ପ୍ରୟାସରେ ପ୍ରଥମ ମୁକ୍ତାକାଶ ପାଠାଗାର ଖୋଲାଯାଇଛି । ଏହି ପାଠାଗାରରେ ଅନେକ ପ୍ରକାରର ପୁସ୍ତକ ମାନ ସ୍ଥାନ ପାଇଥିବାବେଳେ ଏହା ସ୍ଥାନୀୟ ଅଞ୍ଚଳର ଯୁବକ ଯୁବତୀଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ବଢାଇବାରେ ସହାୟକ ହେବ ବୋଲି ସଂଗଠନ ଆଶା ରଖୁଛି । ତେବେ ଏହି ଅଞ୍ଚଳ ଦୁର୍ଗମ ଓ ପଛୁଆ ଅଞ୍ଚଳ ଭାବେ ପରିଗଣିତ ହେଉଥିବା ବେଳେ ଏଠାରେ ଶିକ୍ଷାର ବିକାଶ ପାଇଁ ସରକାର ନାନା ପଦକ୍ଷେପ ନେଇଛନ୍ତି । ତଥାପି ଅଞ୍ଚଳରେ ଉପଯୁକ୍ତ ସୁବିଧା ତଥା ମୋବାଇଲ ନେଟୱାର୍କ ସମସ୍ୟା, ଇଂଟରନେଟ୍ ସମସ୍ୟା ଏବଂ ଉପଯୁକ୍ତ ପୁସ୍ତକ ନମିଳିବା କାରଣରୁ ଅନେକ ପିଲା ଶିକ୍ଷା ଠାରୁ ଦୂରେଇ ଯାଉଥିବା ଦେଖିବାକୁ ମିଳିଛି । ତେଣୁ ଏଭଳି ସ୍ଥିତିରେ ବଣ୍ଡା ଯୁବକ ଯୁବତୀଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ସହ ସେମାନଙ୍କୁ ବିଭିନ୍ନ ପୁସ୍ତକ ମାଧ୍ୟମରେ ଜ୍ଞାନ ଆହରଣ କରାଇବା ପାଇଁ ବଡଦିଦି ଅନୁଷ୍ଠାନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଏହି ମୁକ୍ତାକାଶ ପାଠାଗାରକୁ ସ୍ଥାନୀୟ ଅଞ୍ଚଳର ବଣ୍ଡା ମହିଳାଙ୍କ ଦ୍ବାରା ଉଦଘାଟନ କରାଯାଇଥିବା ବେଳେ ଆଗାମୀ ଦିନରେ ଏଥିରେ ଆହୁରି ଅଧିକରୁ ଅଧିକ ପୁସ୍ତକ ସ୍ଥାନିତ କରିବା ପାଇଁ ଏହି ସଂଗଠନ ନିଜର ପ୍ରୟାସ ଜାରି ରଖିଥିବା ସଂଗଠନର ସଦସ୍ୟା ଜୟନ୍ତୀ ବୁରୁଦା ପ୍ରକାଶ
କରିଛନ୍ତି ।