ମାଲକାନଗିରି, ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ମହକୁମାରେ ଥିବା ଗାଁ ପୋଖରୀ ତୁଠରେ କୁଢ଼ କୁଢ଼ ଅଳିଆ ଆବର୍ଜନା ପଡି ରହିଛି । ଦିନକୁ ଦିନ ସମ୍ପ୍ରସାରିତ ହେଉଥିବା ପଡିଆ ଗ୍ରାମରେ ଅଳିଆ, ଆବର୍ଜନା ନିଷ୍କାସନ ପାଇଁ ଉପଯୁକ୍ତ ବ୍ୟବସ୍ଥା ନଥିବାରୁ ପାଖଆଖ ଲୋକ ଗାଁ ପୋଖରୀ ହୁଡାରେ ଅଳିଆ ଗଦା କରୁଥିବା ଦେଖିବାକୁ ମିଳୁଛି । ଏଥିସହ ପଡିଆ ମୁଖ୍ୟ ବଜାରରେ ଅଳିଆ ଫୋପାଡିବା ପାଇଁ ସ୍ଵତନ୍ତ୍ର ସ୍ଥାନ ବା ବ୍ୟବସ୍ଥା ନଥିବାରୁ ଲୋକମାନେ ରାସ୍ତା କଡ଼ ଓ ପୋଖରୀ ତୁଠରେ ଅଳିଆ ଆବର୍ଜନା ପକାଉଛନ୍ତି । ମୁଖ୍ୟ ବଜାରରେ ମଧ୍ୟ ଗୋଷ୍ଠୀ ପାଇଖାନା ବ୍ୟବସ୍ଥା ନଥିବାରୁ ଲୋକେ ପୋଖରି ହୁଡ଼ା ଓ ପାଖ ଜଙ୍ଗଲରେ ପାଇଖାନା କରୁଥିବା ଜଣାପଡ଼ିଛି । କେବଳ ଗାଁ ପୋଖରୀ ନୁହେଁ ରାସ୍ତା କଡ ଓ ନାଳରେ ମଧ୍ୟ କୁଢ଼ କୁଢ଼ ଅଳିଆ ଗଦା ହୋଇରହୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ଦୈନଦିନ ଏଭଳି ଚିତ୍ର ଦେଖିବାକୁ ମିଳୁଥିବା ବେଳେ ଏହି ରାସ୍ତା ଦେଇ ବିଭିନ୍ନ ସମୟରେ ସରକାରୀ ବାବୁ ଓ ନେତା ଯାତାୟତ କରୁଥିଲେ ମଧ୍ୟ କାହାର ଦୃଷ୍ଟି କିଭଳି ପଡୁନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ଅନ୍ୟପଟେ ବ୍ଳକ ସଦର ମହକୁମା ର ଏଭଳି ଚିତ୍ର ଗ୍ରାମ ପରିବେଶକୁ ପ୍ରଦୂଷିତ କରିବା ସହ ପଡିଆ ଅଂଚଳରେ ସ୍ଵଚ୍ଛ ଭାରତ ମିଶନ ଫେଲ୍ ମାରିଥିବା କୁହାଯାଉଛି । ତୁରନ୍ତ ଗାଁ ପୋଖରୀ, ନାଳ ଏବଂ ରାସ୍ତା କଡ଼ରେ ପଡିଥିବା ଅଳିଆ ଆବର୍ଜନ ସଫା କରିବା ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ବୁଦ୍ଧିଜିବୀ ମହଲରେ ଦାବି ହେଉଛି ।