
ନୂଆପଡା,ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଭରୁଆମୁଣ୍ଡା ନିଵାସୀ ରାମେଶ୍ୱର ପଟେଲଙ୍କୁ ବହୁ ପ୍ରତୀକ୍ଷିତ ପରେ ପ୍ରଶାସନର ହସ୍ତକ୍ଷେପ ପରେ ରାସ୍ତା ମିଳିଥିବା ଜଣାପଡିଛି। ଦୀର୍ଘଦିନର ସଂଗ୍ରାମ ପରେ ଯାତାୟତ ପାଇଁ ରାସ୍ତା ଖଣ୍ଡିକ ପାଇ ପରିବାର ଖୁସି ଥିବା ଦେଖିବାକୁ ମିଳିଛି। ପ୍ରାପ୍ତ ଖବର ଅନୁସାରେ ରାମେଶ୍ୱର ପଟେଲଙ୍କୁ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ପାର୍ଶ୍ଵରେ ଏକ ଭୂମିହୀନ ପରିବାର ହିସାବରେ ଲିଜରେ ସରକାରଙ୍କ ପକ୍ଷରୁ ଜମି ଯୋଗାଇ ଦିଆଯାଇଥିଲା। ଉକ୍ତ ସ୍ଥାନରେ ସେ ଘର ତିଆରି କରି ସପରିବାର ରହୁଥିଲେ। କିନ୍ତୁ ତାଙ୍କ ସାମନା ପଟକୁ ଅନ୍ୟଜଣେ ଲୋକ ସ୍ଥାନୀୟ ହରିସିଂ ନାଏକ ସରକାରି ଜମିକୁ ଦଖଲ କରି ଘର ତିଆରି କରିଥିଲେ। ପରବର୍ତୀ ସମୟରେ ରାମେଶ୍ଵରର ପରିବାରକୁ ଯାତାୟତ ପାଇଁ ରାସ୍ତା ଦେଇ ନଥିଲେ। ବାରମ୍ବାର ସେମାନଙ୍କ ସହ ଆଲୋଚନା କଲାପରେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ଯଦ୍ଦ୍ୱାରା ସେ ପ୍ରଶାସନରର ମଧ୍ୟ ଆଶ୍ରୟ ନେଇଥିଲେ। ବିଭାଗୀୟ ଅଧିକାରୀ ତଥା ଜନପ୍ରତିନିଧି ବାରମ୍ବାର ବୁଝାସୁଝା କଲାପରେ ମଧ୍ୟ କୌଣସି ଫଳ ମିଳୁନଥିଲା। ରାମେଶ୍ୱରର ପରିବାର ବାଧ୍ୟ ହୋଇ ପଞ୍ଚାୟତ କାର୍ଯ୍ୟାଳୟ ମଧ୍ୟଦେଇ ଯିବା ଆସିବା କରୁଛନ୍ତି। ବାରମ୍ବାର ରାସ୍ତାପାଇଁ ହଇରାଣ ହେଲା ପରେ ଶେଷରେ ସିନାପାଲି ତହସିଲଦାର ଓ ବିଡ଼ିଓଙ୍କୁ ଅବଗତ କରିଥିଲେ । ତହସିଲଦାରଙ୍କ ନିର୍ଦ୍ଧେଶ କ୍ରମେ ହାତିବନ୍ଧା ରାଜସ୍ୱ ନିରିକ୍ଷକ କିଶୋର ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଏକ ଟିମ ତଦନ୍ତରେ ଆସି ଉଭୟ ପରିବାରକୁ ଆପୋଷ ବୁଝାମଣା କରି ସମସ୍ୟାର ସମାଧାନ କରିଥିବା ଜଣାପଡିଛି। ଯେଉଁ ବ୍ୟକ୍ତି ରାସ୍ତା ଅବରୋଧ କରି ଗୃହ ନିର୍ମାଣ କରିଥିଲେ, ସେ ଆଗାମୀ ଏକ ମାସ ମଧ୍ୟରେ ଉକ୍ତ ରାସ୍ତା ଛାଡ଼ି ଦେବା ପାଇଁ ରାଜିନାମା ପତ୍ରରେ ସ୍ଵାକ୍ଷର କରି ସହମତି ପ୍ରକାଶ କରିଛନ୍ତି। ଉକ୍ତ ରାଜିନାମା ପତ୍ରରେ ଉଭୟ ପରିବାର ସ୍ଵାକ୍ଷର କରି ଆଗାମୀ ଦିନରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହେବ ସେଥି ପାଇଁ ସହମତି ପ୍ରକାଶ କରିଛନ୍ତି। ପ୍ରକାଶ ଯୋଗ୍ୟ ଯେ ଆଗାମୀ ଏକ ମାସ ମଧ୍ୟରେ ରାସ୍ତା ଛାଡି ନଦେଲେ ଆଇନ ଅନୁଯାୟୀ ଦଣ୍ଡିତ ହେବୁ ବୋଲି ଗୃହ ନିର୍ମାଣ କରିଥିବା ପରିବାର ଏକ ଚୁକ୍ତିନାମା ଲେଖିଦେଛନ୍ତି। ଏହି ରାଜିନାମା ପତ୍ର ସ୍ବାକ୍ଷର ସମୟରେ ହାତିବନ୍ଧା ରାଜସ୍ୱ ନିରୀକ୍ଷକଙ୍କ ସମେତ ଭରୁଆମୁଣ୍ଡା ଆରଆଇ,ସ୍ଥାନୀୟ ଜନପ୍ରତିନିଧି ତଥା ଗ୍ରାମର ଭଦ୍ରବ୍ୟକ୍ତି ଓ ଜନସଧାରଣ ଉପସ୍ଥିତ ଥିଲେ ।