ଗଞ୍ଜାମ, ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠସ୍ଥ ବାଉରୀସୁକୁଣ୍ଡା ଗ୍ରାମ ନିକଟରେ ଆଜି ସକାଳ ସାଢ଼େ ୭ଟା ସମୟରେ ଘଟିଯାଇଛି ଏକ ନୃସଂଶ ହତ୍ୟାକାଣ୍ଡ । ଅନନ୍ତେଇ ଗ୍ରାମପଚାଂୟତର ପୂର୍ବତନ ସରପଚଂ ପ୍ରଦୀପ ବିଶୋଇଙ୍କୁ କିଛି ଦୁର୍ବୃତ ମାରଣାସ୍ତ୍ରରେ ହାଣି ହତ୍ୟା କରି ରାସ୍ତା କଡ଼ରେ ତାଙ୍କ ମୃତଦେହକୁ ଫୋପାଡ଼ି ଚାଲିଯାଇଥିବା ସନ୍ଦେହ କରାଯାଉଛି । ପ୍ରଦୀପ ସକାଳେ ସ୍କୁଟି ଯୋଗେ ନିଜ ଘର ବ୍ରହ୍ମପୁର ଗେଟ୍ ବଜାର ଠାରୁ ବନ୍ଥପଲ୍ଲୀ ଯାଉଥିବା ବେଳେ ଦୁର୍ବୃତ ମାନେ ପୂର୍ବରୁ ଛକି ରହି ବାଉରୀସୁକୁଣ୍ଡା ଗ୍ରାମର ପାଣି ଫ୍ୟାକ୍ଟ୍ରି ନିକଟରେ ତାଙ୍କୁ ଖଣ୍ଡା ଓ ଅନ୍ୟାନ୍ୟ ମାରଣାସ୍ତ୍ରରେ ଆକ୍ରମଣ କରିବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ଶରୀରରେ ୮ରୁ ୧୦ଟି ସ୍ଥାନରେ ଖଣ୍ଡା ଚୋଟ ଲାଗିଥିବା ଜଣାପଡିଛି । ବଡ଼ବଜାର ଥାନା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ଶବ ଜବତ କରିଛନ୍ତି । ଘଟଣାସ୍ଥଳରୁ ମୃତ ପ୍ରଦୀପଙ୍କ ସ୍କୁଟି, ମୋବାଇଲ ଏବଂ ଆକ୍ରମଣରେ ବ୍ୟବହୃତ ଖଣ୍ଡା ମଧ୍ୟ ଜବତ କରିଛନ୍ତି ବୋଲି ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି । ବ୍ରହ୍ମପୁର ଏସଡ଼ିପିଓ ବିଷ୍ଣୁ ଚରଣ ପତି ସନ୍ଧାନୀ କୁକୁର ଏବଂ ସାଇଂଟିଫିକ୍ ଟିମ୍ ସହାୟତାରେ ଘଟଣାସ୍ଥଳରେ ଛାନଭିନ୍ ଜାରୀ ରଖିଛନ୍ତି । ଅନ୍ୟପକ୍ଷରେ ବ୍ରହ୍ମପୁର ବଡ଼ବଜାର ଥାନା ପୋଲିସ ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ।
ପ୍ରଦୀପ ଦୁଇ ଥର ଅନନ୍ତେଇ ପଚାଂୟତର ସରପଚଂ ଭାବେ ନିର୍ବାଚିତ ହୋଇଥିଲେ । ସେ କୌଣସି ମାମଲାରେ ଜଡ଼ିତ ହୋଇ ପୂର୍ବରୁ ଜେଲ୍ ରେ ଥିଲେ । କିଛି ଦିନ ତଳେ ସେ ପାରୋଲରେ ଆସିଥିଲେ । ଜମିଜମା ତଥା ପୂର୍ବ ଶତୃତା କାରଣରୁ ତାଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ପୋଲିସ ଅନୁମାନ କରୁଛି ।