ଧର୍ମଶାଳା, ଦୀପାବଳିରେ ବାଣ ବିକ୍ରୀ ହୋଇପାରିବ ନାହିଁ । ଯାହାକି କରୋନା ନିୟମକୁ ଦୃଷ୍ଟିରେ ରଖି ସରକାର ନିର୍ଦ୍ଦେଶ ଦେଇଥିଲେ । କେବଳ ସବୁଜ ବାଣ ବିକ୍ରୀ କରିବା ନେଇ ବେପାରୀମାନଙ୍କୁ ଅନୁମତି ଦେଇଛନ୍ତି । ହେଲେ ଏହି ସରକାରୀ ନିର୍ଦ୍ଦେଶକୁ ଫୁ କରି ବେଆଇନଭାବେ ସର୍ବସାଧାରଣ ଓ ବ୍ୟବସାୟ ପ୍ରତିଷ୍ଠାନମାନଙ୍କରେ ବାଣ ବିକ୍ରୀ କରାଯାଉଥିବା ଦେଖିବାକୁ ମିଳିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ବ୍ରହ୍ମବରଦା, ବନ୍ଧଡିହ ଓ ଏହାର ଆଖପାଖ ଅଂଚଳରେ । ବ୍ରହ୍ମବରଦା ପଂଚାୟତର ତାରିଣୀ ଛକ, ଛେନାଖିଆପାଟଣା, ବ୍ୟାଙ୍କଛକ, ବନ୍ଧଡିହ ପଂଚାୟତସ୍ଥ ବନ୍ଧହିହ ସାପ୍ତହିକ ହାଟ ଓ ବହୁ ବ୍ୟବସାୟ ପ୍ରତିଷ୍ଠାନମାନଙ୍କରେ କିଛି ଲାଭଖୋର ବ୍ୟବସାୟୀମାନେ ଖୁଲମଖୁଲା ବାଣ ବ୍ୟବସାୟ କରୁଥିବା ଦେଖିବାକୁ ମିଳିଥିଲା । ହେଲେ ପ୍ରଶାସନର ନଜର ନ ପଡିବା ନେଇ ସାଧରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବ୍ରହ୍ମବରଦା ଫାଣ୍ଡିଠାରୁ ବ୍ରହ୍ମବରଦା ବଜାର ମାତ୍ର ୩ଶହ ମିଟର ଦୂରରେ ରହିଥିବା ବେଳେ ଏହି ଫାଣ୍ଡିଠାରୁ ବନ୍ଧଡିହ ହେଉଛି ମାତ୍ର ୩ କିମି ଦୂର । ଏଭଳି ଖୋଲାମେଲା ବ୍ୟବସାୟକୁ ନେଇ ଜନସାଧାରଣ ଅସନ୍ତୋଷ ପ୍ରକାଶ କରିଛନ୍ତି । ପୁଲିସରେ ଅଭିଯୋଗ କଲେ ମଧ୍ୟ କେବଳ ଲୋକ ଦେଖାଣିଆଭାବେ ଗୋଟିଏ ଦୁଇଟି ଦୋକାନରେ ଚଢ଼ଉ କରି ହାତ ଗଣତି କିଛି ବାଣ ଜବତ କରିଥିବା ଦେଖିବାକୁ ମିଳିଛି । ତେବେ ଏଭଳି ବେଆଇନ କାରବାରକୁ ନେଇ ଜିଲା ପ୍ରଶାସନର ଉପରକୁ ଅଙ୍ଗୁଳି ଉଠାଇଛନ୍ତି ସାଧାରଣ ଲୋକେ ।