ଧର୍ମଶାଳା, ମାଳମାଳ ସରକାରୀ ଯୋଜନା । ରାଜ୍ୟରେ କେହି ଗରୀବ ରହିବେ ନାହିଁ । ସମସ୍ତଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବା ଦେଇ ପ୍ରଚାର ଓ ପ୍ରସାର ମାଧ୍ୟମରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ, ବାସ୍ତବରେ ତାହା ଲୋକଙ୍କ କାର୍ଯ୍ୟରେ ଆସୁ ନ ଥିବା ଦେଖିବାକୁ ମିଳିଛି । ଯାହାକି ଗରୀବଙ୍କ ପ୍ରତି ଉପହାସ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳୁଛି ଯାଜପୁର ଜିଲା ବରୀ ନିର୍ବାଚନ ମଣ୍ଡଳୀ ରସୁଲପୁର ମହେଶ୍ୱରପୁର ପଂଚାୟତରେ । ଏହି ପଂଚାୟତର ଚାନ୍ଦପୁର ଗ୍ରାମରେ ଅନେକ ଲୋକ ସରକାରୀ ସହାୟତା ପାଇବାରୁ ବଂଚିତ ହୋଇଛନ୍ତି । ଯୋଗ୍ୟ ହିତାଧିକାରୀମାନେ କଂକ୍ରିଟ ଆବାସରେ ଘର ପାଇପାରୁ ନାହାନ୍ତି । ଫଳରେ ଛପର ଘରେ ଜୀବନ ବିତାଉଥିବା ଦେଖିବାକୁ ମିଳିଛି । ଏବଂ ଅନେକ ଲୋକ ବୟସ ୭୦ରୁ ଉର୍ଦ୍ଧ୍ୱ ହୋଇଥିଲେ ସୁଦ୍ଧା ସେମାନଙ୍କୁ ଭତା ମିଳି ପାରୁନାହିଁ । ଯାହାକୁ ନେଇ ଅଗାମୀ ପଂଚାୟତ ନିର୍ବାଚନରେ ଲୋକପ୍ରତିନିଧିମାନଙ୍କୁ ଉଚିତ୍ ଜବାବ ଦିଆଯିବ ବୋଲି ସରକାରୀ ଯୋଜନାରୁ ବଂଚିତ ହିତାଧିକାରୀ ପ୍ରକାଶ କରିଛନ୍ତି । ଏହି ଗ୍ରାମର ଭରତ ଦାସ ଚାଳ ଛପର ଘରେ ପରିବାରର ୮ ଜଣ ସଦସ୍ୟଙ୍କୁ ନେଇ ରହୁଥିବା ବେଳେ ବାରମ୍ବାର ସରପଂଚଙ୍କୁ ଜଣାଇବା ପରେ ମଧ୍ୟ କିଛି ସନ୍ତୋଷ ଜନକ ଉତର ମିଳୁ ନଥିବା ସେ କହିଛନ୍ତି । ଜଣେ ଦିନ ମଜୁରୀଆଭାବେ ଯାହା ରୋଜଗାର କରନ୍ତି, ତାହା ପରିବାର ଚଳାଇବାକୁ ସମୁଦ୍ରକୁ ଶଙ୍ଖେ । ଘରେ କହିଲେ ସ୍ୱାମୀ ସ୍ତ୍ରୀ ସହ ୬ ଜଣ ପିଲାଛୁଆ । ଘର ଚଳିବା ଏକ ପ୍ରକାର କଷ୍ଟକର ହୋଇପଡିଛି । ସରକାରୀ ସହାୟତା ବୋଇଲେ ରାସନ କାର୍ଡ । ଘରକୁ ବିଜୁଳି ସଂଯୋଗ ଦିଆଯାଇନାହିଁ । ଫଳରେ ରାତିରେ ଅନ୍ଧାରରେ ଚଳପ୍ରଚଳ କରୁଛନ୍ତି । ସେହିପରି ଏହି ଗ୍ରାମର ଆତୁଳ ଦାସଙ୍କ ବୟସ ୭୨ ହୋଇଥିଲେ ମଧ୍ୟ ତାଙ୍କୁ ଭର୍ତା ଯୋଜନାରେ ସାମିଲ କରାଯାଇନଥିବା ଜଣାପଡିଛି ।
ସେହିପରି ଏହି ଗ୍ରାମର ମାତାଜୀ ଦାସଙ୍କୁ ୬୦ ବର୍ଷ ହୋଇଥିଲେ ମଧ୍ୟ ତାଙ୍କୁ ଏହି ଯୋଜନାରେ ସାମିଲ କରାଯାଇନହିଁ । ସ୍ୱାମୀଙ୍କ ମୃତ୍ୟୁର ୩ ବର୍ଷ ପରେ ମଧ୍ୟ ତାଙ୍କୁ ବିଧବା ଭତା ଯୋଗାଇ ଦିଆଯାଇନହିଁ । ଯାହାକୁ ନେଇ ଆଗାମୀ ପଂଚାୟତ ନିର୍ବାଚନରେ ଉଚିତ ଜବାବ ଦେବେ ବୋଲି ସେମାନେ କହିଛନ୍ତି ।