
ପଟ୍ଟାମୁଣ୍ଡାଇ – ପରିବେଶ ପ୍ରଦ୍ୟୁଷଣ ମୁକ୍ତ ପାଇଁ ଗଛ ଲଗାଇବାର ଆବଶ୍ୟକତା ଥିବାରୁ ଏ ନେଇ ସରକାରଙ୍କ ସମେତ ବିଭିନ୍ନ ସ୍ୱେଚ୍ଚାସେବୀ, ସଂଗଠନ ଓ ଅନୁଷ୍ଠାନ ପକ୍ଷରୁ ଚାରାରୋପଣ କରାଯାଉଥିବାବେଳେ ପଟ୍ଟାମୁଣ୍ଡାଇ ବ୍ଲକ ବଳଭଦ୍ରପୁର ପଂଚାୟତ ବାଲିପାଟଣା ଗଡାଣି ନିକଟରେ ବୃହତ ଚାଖୁଣ୍ଡା ଗଛକୁ ବେଆଇନ୍ ଭାବରେ କାଟିବା ପଟ୍ଟାମୁଣ୍ଡାଇ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି ।ସୂଚନା ଥାଉକି ଆଜି ପୂର୍ବାହ୍ନରେ ପଟ୍ଟାମୁଣ୍ଡାଇ ତହସିଲଦାର ଦିଲ୍ଲୀପ କୁମାର ସେଠୀ ଓ ଆଇଆଇସି ତପନ କୁମାର ରାଉତ ସଦଳବଳେ ବେଆଇନ ବାଣ ଦୋକାନ ଖୋଲିଥିବା ଦୋକାନୀମାନଙ୍କ ଉପରେ ଚଢାଉ କରିବା ପାଇଁ ଡାମରପୁର ଯାଇଥିବାବେଳେ କାଠ ମାଫିଆମାନେ ରାସ୍ତାପାଶ୍ୱର୍ରୁ ଗଛ କାଟୁଥିବା ଖବର ପାଇଥିଲେ ।ସେଠାରୁ ଫେରିବା ବେଳେ ବଳଭଦ୍ରପୁର ପଂଚାୟତ ବାଲିପାଟଣା ଗଡାଣି ନିକଟରେ ଦୁଇଟି ବୃହତ ଚାଖୁଣ୍ଡା ଗଛକୁ ବେଆଇନ୍ ଭାବରେ କାଟା ଯାଉଥିବା ଦେଖି ଅଟକିଥିଲେ । ପୋଲିସକୁ ଦେଖି ଗଛ କଟୁଥିବା ଲୋକମାନେ ଦୌଡି ପଳାଇଥିଲେ । ଏଥିରେ ସନ୍ଦେହ ହେବାରୁ ତହସିଲଦାର ଗଛ କଟାଯାଉଥିବା ସ୍ଥାନକୁ ଯାଇ କଟର,କୁରାଢି,ଫଉଣ୍ଡା ଜବତକରିଥିବା ଜଣାପଡିଛି ।କାଠ ମାଫିଆମାନେ ୨ଟି ବିରାଟକାୟ ଚାକୁଣ୍ଡା ଗଛକୁ ମୂଳରୁ କାଟି ଦେଇଥିବାବେଳେ ଆଉ ୨ଟି ଗଛର ମୋଟା ମୋଟା ଡାଳକୁ କଟରରେ କାଟି ଦେଇଥିବା ଜଣାପଡିଛି । ତେବେ ଉକ୍ତ ଗଛଟି ପ୍ରକୃତରେ କାହାର ସେନେଇ ୭ଦିନ ମଧ୍ୟରେ ସରକାରୀ ମାପ ମାଧ୍ୟମରେ ଚିହ୍ନଟ ପରେ କାଠକୁ ସିଜ କରିବା ସହ ଏନେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବବୋଲି ତହସିଲଦାର କହିଛନ୍ତି । ତେବେ ଗଛଟି ବେଆଇନ୍ ଭାବରେ ବିନା ପରିମିସନରେ ଏହି କାର୍ଯ୍ୟ ଯିଏ କରିଛି ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠା ନିଆଜୀବ ବୋଲି ତହସିଲଦାର ଶ୍ରୀସେଠୀ କହିଛନ୍ତି ।ପ୍ରକାଶ ଥାଉକି କିଛିଦିନ ହେବ ପଟ୍ଟାମୁଣ୍ଡାଇ ଅଚଂଳରେ କାଠ ମାଫିଆମାନଙ୍କ ପାର୍ଦୁଭାବ ବୃଦ୍ଧି ପାଇଥିବାବେଳେ ସରକାରୀ ଜାଗାରୁ ମୂଲ୍ୟବାନ ଗଛ କାଟି ନେଇଯାଉଥିବାରୁ ପ୍ରଶାସନ ମୁଣ୍ଡବ୍ୟଥାର କାରଣ ହୋଇଛି ।