
ଭୁବନେଶ୍ୱର, ବଙ୍ଗଳାଦେଶରେ ହିନ୍ଦୁ ସମାଜକୁ ବିଲୋପ କରିଦେବା ପାଇଁ ବାରମ୍ବାର ଆକ୍ରମଣ ହେଉଛି । ଏହି ଘଟଣାରେ ଗଭୀର ଉଦ୍ବେଗ ପ୍ରକାଶ କରିବା ସହିତ ସେଠାରେ ଜିହାଦୀ ଗୋଷ୍ଠୀ ଦ୍ୱାରା ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ହେଉଥିବା ବର୍ବରୋଚିତ ଆକ୍ରମଣ ଓ ବ୍ୟାପକ ଇସଲାମିକରଣର ଷଡଯନ୍ତ୍ରକୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଘୋର ନିନ୍ଦା କରିଛି । ବଙ୍ଗଳାଦେଶରେ ଅଥବା ବିିଶ୍ୱର ଅନ୍ୟ କୌଣସି ସ୍ଥାନରେ ମୌଳବାଦୀ ଇସଲାମିକ ଗୋଷ୍ଠୀର ଆବିର୍ଭାବ ଦ୍ୱାରା ସାରା ବିଶ୍ୱର ଶାନ୍ତିପ୍ରିୟ ଦେଶମାନଙ୍କର ଗଣତାନ୍ତ୍ରିକ ବ୍ୟବସ୍ଥା ଓ ମାନବାଧିକାର ପାଇଁ ଭୟଙ୍କର ବିପଦ ସୃଷ୍ଟି ହୋଇପାରେ ବୋଲି ସଂଘର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ସତର୍କ କରାଇ ଦେଇଛି; ଏକଥା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଆରଏସ୍ଏସ୍ ତରଫରୁ ପ୍ରକାଶ କରାଯାଇଛି ।
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଓଡିଶା ପୂର୍ବ ତରଫରୁ ଭୁବନେଶ୍ୱରଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଗଠନର ପ୍ରାନ୍ତ ସଂଘଚାଳକ ସମୀର କୁମାର ମହାନ୍ତି ପ୍ରକାଶ କରିଛନ୍ତି ଯେ, ଗତ ଅକ୍ଟୋବର ୨୮,୨୯ ଓ ୩୦ ତାରିଖ ତିନିଦିନ ଧରି କର୍ଣ୍ଣାଟକର ଧାରୱାଡ ଠାରେ ଅନୁଷ୍ଠିତ ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ବୈଠକରେ ବଙ୍ଗଳାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ ଏକ ପ୍ରସ୍ତାବ ଅନୁମୋଦିତ ହୋଇଛି । ମିଥ୍ୟା ଖବର ଆଧାରରେ ଆକ୍ରମଣ ତଥା ସାମ୍ପ୍ରଦାୟିକ ଉନ୍ମାଦନା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପବିତ୍ର ଦୁର୍ଗାପୂଜା ପର୍ବ ସମୟରେ ଆରମ୍ଭ ହୋଇଥିବା ସାଂପ୍ରଦାୟିକ ହିଂସାରେ ଅନେକ ନିରପରାଧୀ ହିନ୍ଦୁମାନଙ୍କର ହତ୍ୟା କରାଯାଇଛି, ଶହଶହ ଲୋକ କ୍ଷତବିକ୍ଷତ ହୋଇଛନ୍ତି ଓ ହଜାର ହଜାର ପରିବାର ବାସହରା ହୋଇଛନ୍ତି । ଗତ ଦୁଇ ସପ୍ତାହ ମଧ୍ୟରେ ହିନ୍ଦୁ ସମାଜର ଅନେକ ମା ଉଭଣୀ ଅତ୍ୟାଚାରର ଶିକାର ହୋଇଛନ୍ତି ତଥା ମନ୍ଦିର ଓ ପୂଜା ପେଣ୍ଡାଲଗୁଡିକ ମଧ୍ୟ ଧ୍ୱଂସ କରାଯାଇଛି । ସଂଖ୍ୟାଲଘୁ ହିନ୍ଦୁ ସମାଜ ଉପରେ ହେଉଥିବା ବାରମ୍ବାର ଆକ୍ରମଣର ପ୍ରକୃତ ଉଦ୍ଦେଶ୍ୟ ହେଉଛି ବଙ୍ଗଳାଦେଶରେ ହିନ୍ଦୁ ସମାଜର ସଂପୂର୍ଣ୍ଣ ବିନାଶ, ଯାହାର ପରିଣାମ ସୂରୂପ ଭାରତ ବିଭାଜନ ସମୟରୁ ହିନ୍ଦୁ ସମାଜର ଜନସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି । ବିଭାଜନ ସମୟରେ ପୂର୍ବବଙ୍ଗରେ ହିନ୍ଦୁମାନଙ୍କର ଜନସଂଖ୍ୟା ପ୍ରାୟ ଅଠେଇଶ ପ୍ରତିଶତ ଥିଲା, ଯାହା ବର୍ତମାନ ପ୍ରାୟ ଆଠ ପ୍ରତିଶତକୁ ଖସି ଆସିଛି । ବିଶେଷକରି ଏ ସମୟରେ ଜମାତ-ଏ-ଇସଲାମି (ବଙ୍ଗଳାଦେଶ) ଭଳି କଟ୍ଟରପନ୍ଥୀ ଇସଲାମିକ ଗୋଷ୍ଠୀ ଦ୍ୱାରା ଅତ୍ୟାଚାର ତଥା ୧୯୭୧ ମସିହାରେ ହୋଇଥିବା ଯୁଦ୍ଧ କାରଣରୁ ବହୁ ସଂଖ୍ୟାରେ ହିନ୍ଦୁ ସମାଜ ଭାରତକୁ ପଳାୟନ କରିଥିଲେ । ଏହି ଘଟଣା ଉପରେ ତଥାକଥିତ ମାନବାଧିକାର ସଂଗଠନ ତଥା ଜାତିସଂଘ ସମ୍ପର୍କିତ ସଂସ୍ଥାଗୁଡିକର ସଂପୂର୍ଣ୍ଣ ନିରବତା ଉପରେ ମଧ୍ୟ ସଂଘ ଚିନ୍ତାବ୍ୟକ୍ତ କରିଛି । କାର୍ଯ୍ୟକାରୀ ମଣ୍ଡଳ ଅନ୍ତର୍ରାଷ୍ଟ୍ରୀୟ ସମୁଦାୟଙ୍କୁ ଆହ୍ୱାନ କରୁଛି ଯେ, ସେମାନେ ଏହି ହିଂସା ଘଟଣାର ନିନ୍ଦା କରିବାପାଇଁ ଆଗେଇ ଆସନ୍ତୁ ତଥା ବଙ୍ଗଳାଦେଶରେ ବସବାସ କରୁଥିବା ହିନ୍ଦୁ, ବୌଦ୍ଧ ଓ ଅନ୍ୟ ଅଳ୍ପସଂଖ୍ୟକସମାଜଙ୍କ ସପକ୍ଷରେ ନିଜର ସ୍ୱର ଉତୋଳନ କରନ୍ତୁ ।
ପାରିତ ପ୍ରସ୍ତାବରେ ହିଂସା ପୀଡିତଙ୍କ ପରିବାରକୁ ସାହାଯ୍ୟ କରିଥିବାରୁ ଇସ୍କନ, ରାମକୃଷ୍ଣ ମିଶନ, ଭାରତ ସେବଶ୍ରମ ସଂଘ, ବିଶ୍ୱହିନ୍ଦୁ ପରିଷଦ ଏବଂ ଅନେକ ହିନ୍ଦୁ ସଂଗଠନ ଗୁଡିକ ପ୍ରଶଂସା କରାଯାଇଛି । କାର୍ଯ୍ୟକାରୀ ମଣ୍ଡଳ ଭାରତ ସରକାରଙ୍କୁ ଅନୁରୋଧ କରିଛି ଯେ, ସମସ୍ତ କୂଟନୈତିକ ମାଧ୍ୟମ ପ୍ରୟୋଗକରି ବଙ୍ଗଳାଦେଶରେ ହେଉଥିବା ଆକ୍ରମଣ ତଥା ମାନବାଧିକାର ଉଲଙ୍ଘନ ବିଷୟରେ ସାରା ବିଶ୍ୱରେ ବସବାସ କରୁଥିବା ହିନ୍ଦୁ ସମାଜ ଏବଂ ସଂସ୍ଥାଗୁଡିକର ଭାବନାକୁ ଦୃଷ୍ଟିରେ ରଖି ଏସମ୍ପର୍କରେ ବଙ୍ଗଳାଦେଶ ସରକାରଙ୍କୁ ଅବଗତ କରାନ୍ତୁ, ଯାହାଫଳରେ ହିନ୍ଦୁ ଓ ବୌଦ୍ଧମାନଙ୍କ ସୁରକ୍ଷା ସୁନିଶ୍ଚିତ ହୋଇ ପାରିବ ।
କରୋନା କଟକଣା ଉଠିବା ପରେ ବର୍ତମାନ ଦେଶରେ ୫୪,୩୮୨ଟି ସଂଘ ଶାଖା ଲାଗୁଅଛି । ଓଡିଶାରେ ମଧ୍ୟ ୧୩୦୨ଟି ଶାଖା ଲାଗୁଅଛି । ନିତ୍ୟକାର୍ଯ୍ୟ ବ୍ୟତୀତ ଗ୍ରାମ ବିକାଶ, ଜୈବିକ କୃଷି, ପରିବାର ପ୍ରବୋଧନ, ଗୋ ସେବା, ପର୍ଯ୍ୟାବରଣ ସୁରକ୍ଷା ଏବଂ ସାମାଜିକ ସମରସତା ଆଦି ଗତିବିଧି ଚାଲୁଅଛି । ୨୦୨୫ ମସିହା ବେଳକୁ ସଂଘ ୧୦୦ ବର୍ଷରେ ପଦାର୍ପଣ କରିବ । ସେଥିପାଇଁ ସଂଘର ବିସ୍ତାର ଲାଗି ୨ ବର୍ଷ ସମୟ ଦେବାପାଇଁ କାର୍ଯ୍ୟକର୍ତାମାନଙ୍କୁ ଆହ୍ୱାନ କରାଯାଇଛି । ସ୍ୱାଧୀନତାର ଅମୃତ ମହୋତ୍ସବ (୭୫ବର୍ଷ ପୂର୍ତି) କାରଣରୁ ଏହି ଆନ୍ଦୋଳନକୁ ସଫଳ କରିଥିବା ଅନାଲୋଚିତ କ୍ରାନ୍ତିକାରୀମାନଙ୍କର ବିଷୟ ସମାଜ ସମ୍ମୁଖକୁ ଅଣାଯିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ଏହି ବର୍ଷ ଶିଖ୍ ନବମ ଗୁରୁ ତେଗବାହାଦୂରଙ୍କ ୪୦୦ତମ ଜନ୍ମ ବାର୍ଷିକୀ ପଡୁଥିବା କାରଣରୁ ଦେଶ ଓ ସଂସ୍କୃତିର ସୁରକ୍ଷା ପାଇଁ ତାଙ୍କର ବଳିଦାନ ବିଷୟରେ ଜନଜାଗରଣ କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି ଘୋଷଣା କରାଯାଇଛି ।
କରୋନାର ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ଗ୍ରାମ ଠାରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ସ୍ୱୟଂସେବକମାନଙ୍କ ଦ୍ୱାରା କରୋନା ପ୍ରତିରୋଧ ଟିମ୍ମାନ ଗଠନ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, କରୋନା ପ୍ରଥମ ଲହର ଓ ଦ୍ୱିତୀୟ ଲହର ସମୟରେ ସଂଘ ଓ ଉତ୍କଳ ବିପନ୍ନ ସହାୟତା ସମିତି ତରଫରୁ ସମସ୍ତ ବର୍ଗର କ୍ଷତିଗ୍ରସ୍ତ ମାନଙ୍କୁ ଆବଶ୍ୟକତା ଅନୁସାରେ ସହାୟତା ପ୍ରଦାନ କରାଯାଇଥିଲା ଏବଂ ରକ୍ତଦାନ କାର୍ଯ୍ୟକ୍ରମମାନ ଚାଲୁ ରହିଥିଲା । ଏହି ବୈଠକରେ ବରିଷ୍ଠ ସମାଜସେବୀ ସ୍ୱର୍ଗତ ଦେବେନ୍ଦ୍ର କୁମାର ମହାପାତ୍ର ଓ କୁମାର କୃଷ୍ଣ ଚନ୍ଦ୍ର ରାୟଙ୍କ ସମେତ ଓଡିଶା ତଥା ଦେଶର ସମସ୍ତ ଦିବଙ୍ଗତମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ସହ ଶୋକ ପ୍ରସ୍ତାବ ଗୃହିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଓଡିଶାର ୧୩ ଜଣ ସମେତ ସମଗ୍ର ଭାରତରୁ ୩୪୬ଜଣ କାର୍ଯ୍ୟକର୍ତା ଯୋଗ ଦେଇଥିଲେ ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ କ୍ଷେତ୍ର କାର୍ଯ୍ୟବାହ ଶ୍ରୀ ଗୋପାଳ ପ୍ରସାଦ ମହାପାତ୍ର ଏବଂ ସହପ୍ରାନ୍ତ ପ୍ରଚାର ପ୍ରମୁଖ ଶ୍ରୀ ସୁମନ୍ତ କୁମାର ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ ।