କନ୍ଧମାଳ, ସଶକ୍ତ କଠୋର ଜନ୍ମସଂଖ୍ୟା ନିୟନ୍ତ୍ରଣ ବିଧେୟକ ପାର୍ଲାମେଣ୍ଟରେ ପାରିତ କରିବାକୁ କନ୍ଧମାଳ ଜନସଂଖ୍ୟା ନିୟନ୍ତ୍ରଣ ଫାଉଣ୍ଡେସନ ପକ୍ଷରୁ କନ୍ଧମାଳ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।ଭାରତ ବର୍ଷରେ ସଶକ୍ତ ଓ କଠୋର ଜନସଂଖ୍ୟା ଆଇନ ସଂସଦରେ ପ୍ରଣୟନ କରିବାର ଆବଶ୍ୟକତା ରହିଛି ।
ଯେଉଁ ଦେଶରେ ଜନସଂଖ୍ୟା ସଠିକ୍ ସନ୍ତୁଳନ ଅଛି, ସେହି ଦେଶ ଗୁଡ଼ିକ ସବୁ କ୍ଷେତ୍ରରେ ଯଥେଷ୍ଟ ଆଗୁଆ ଓ ବିକାଶଶୀଳ । ପରିବେଶ ସନ୍ତୁଳନ ଠାରୁ ଆରମ୍ଭ କରି ସାମାଜିକ ଓ ଆର୍ଥିକ ବ୍ୟବସ୍ଥାରେ ଅଗ୍ରଗତି ସମେତ ଶିକ୍ଷା, ଚିକିତ୍ସା ଓ ବିଜ୍ଞାନ କ୍ଷେତ୍ରରେ ସେ ସବୁ ଦେଶ ଗୁଡ଼ିକ ବିକଶିତ ସ୍ଥାନରେ ଅଛନ୍ତି । ଏହା ବ୍ୟତୀତ ବେକାରୀ ସମସ୍ୟା ଆଇନଶୃଙ୍ଖଳା ପରିସ୍ଥିତିରେ ମଧ୍ୟ ସ୍ବଳ୍ପ ଜନସଂଖ୍ୟା ବିଶିଷ୍ଟ ଦେଶଗୁଡ଼ିକ ଅତ୍ୟନ୍ତ ନିୟନ୍ତ୍ରିତ ଓ ଶୃଙ୍ଖଳିତ ଅବସ୍ଥାରେ ରହିଛନ୍ତି ।ଭାରତ ସ୍ୱାଧିନ ହେବା ସମୟରେ ଦେଶର ଜନସଂଖ୍ୟା ଛତିଶ କୋଟି ଥିବା ବେଳେ ଦେଶରେ ବର୍ତ୍ତମାନ ପ୍ରାୟ ୧୪୦ କୋଟିରୁ ଅଧିକ ଜନସଂଖ୍ୟାକୁ ବୃଦ୍ଧି ହେଲାଣି । ପ୍ରତ୍ୟେକ ମିନିଟରେ ୫୧ ଜଣରୁ ଅଧିକ ନବଜାତ ଶିଶୁଙ୍କୁ ଜନ୍ମ ଦେଉଥିବା ଭାରତ ବର୍ତ୍ତମାନ ଏକ ଭୟଙ୍କର ଜନ ବିସ୍ଫୋଟ ପରିସ୍ଥିତି ଦେଇ ଗତି କରୁଛି ।
ଭାରତରେ ମାତ୍ର ୨.୪ ପ୍ରତିଶତ ସ୍ଥଳ ଭାଗ ଥିବାବେଳେ ବିଶ୍ୱର ୧୭ ପ୍ରତିଶତ ଲୋକ ବାସ କରୁଛନ୍ତି । ପ୍ରତ୍ୟେକ ବର୍ଗ କିଲୋମିଟରରେ ଭାରତରେ ସର୍ବାଧିକ ୪୧୧ ଜଣ ଲୋକ ରହିଛନ୍ତି । ଅନ୍ୟ ଦେଶର କ୍ଷେତ୍ରଫଳ ତୁଳନାତ୍ମକ ଭାବେ ଆମ ଦେଶ ଠାରୁ ଅଧିକ ହୋଇଥିବା ବେଳେ ସେଠାରେ ପ୍ରତି ବର୍ଗ କିଲୋମିଟରରେ ବହୁତ କମ୍ ଲୋକ ରହୁଛନ୍ତି । ସେହିଭଳି ବେକାରୀ ସମସ୍ୟାରେ ମଧ୍ୟ ଭାରତ ସର୍ବୋଚ୍ଚ ସ୍ଥାନରେ ଅଛି । ସମଗ୍ର ପୃଥିବୀରେ ମାତ୍ର ୫.୭ ପ୍ରତିଶତ ବେକାର ଥିବା ବେଳେ ଭାରତରେ ବେକାରୀ ସଂଖ୍ୟା ସର୍ବୋଚ୍ଚ ୨୩ ପ୍ରତିଶତରେ ପହଂଚିଛି ।ସେହିଭଳି ଅତ୍ୟଧିକ ଜନସଂଖ୍ୟା କାରଣରୁ ଭାରତରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ । ବିଶ୍ୱର ବିପର୍ଯ୍ୟସ୍ତ ଦେଶ ତାଲିକାରେ ଶ୍ରେଷ୍ଠ ଦଶଟି ଦେଶ ମଧ୍ୟରେ ରହିଛି ଭାରତ । ଅସନ୍ତୁଳିତ ଜନ ବିସ୍ଫୋରଣ ଯୋଗୁଁ ସ୍ଵାସ୍ଥ୍ୟ ଓ ଚିକିତ୍ସା ବ୍ୟବସ୍ଥା ବିପର୍ଯ୍ୟସ୍ତ ହେଉଛି । ତାର କାରଣ ହେଉଛି ଆମ ଅପେକ୍ଷା ପାଞ୍ଚ ଗୁଣା ବୃହତ୍ତମ କ୍ଷେତ୍ର ବିଶିଷ୍ଟ ଦେଶ ଆମେରିକାର ଜନସଂଖ୍ୟା ମାତ୍ର ୪୮ କୋଟି ହୋଇଥିବା ବେଳେ ଭାରତର ଜନସଂଖ୍ୟା ୧୪୦ କୋଟି । ଏତେ ବଡ଼ ଜନସଂଖ୍ୟାକୁ ସ୍ଵାସ୍ଥ୍ୟ, ଶିକ୍ଷା, ଆବାସ, କର୍ମଯୋଗାଣ ସମେତ ଆନାନ୍ୟ ସରକାରୀ ଜନ ମଙ୍ଗଳକାରୀ ଯୋଜନା ଯୋଗାଇବା ଯେକୌଣସି ସରକାର ପକ୍ଷରେ ସମ୍ପୂର୍ଣ୍ଣ ଅସମ୍ଭବ । ତେଣୁ ଅସନ୍ତୁଳିତ ଜନସଂଖ୍ୟା କେବଳ ଆମ ଦେଶର ଭବିଷ୍ୟତ ପାଇଁ ଉଦବେଗଜନକ ତାହା ନୁହେଁ, ଆମ ଭାରତୀୟ ସଂସ୍କୃତି, ଅସ୍ମିତା, ଇତିହାସ ଏବଂ ଗୌରବମୟ ପରମ୍ପରା ତଥା ଭବିଷ୍ୟତ ପ୍ରତି ମଧ୍ୟ ବିପଦ ସୃଷ୍ଟି କରୁଛି ।
ଭାରତରେ ସାମ୍ପ୍ରଦାୟିକ ଦଙ୍ଗା ଠାରୁ ଆରମ୍ଭ କରି ଆତଙ୍କବାଦୀ ଆକ୍ରମଣ ପର୍ଯ୍ୟନ୍ତ ସବୁର ମୂଳ କାରଣ ହେଉଛି ଭାରତରେ ଅସନ୍ତୁଳିତ ଜନସଂଖ୍ୟା ବୃଦ୍ଧି । ଏହି ସବୁ ସମସ୍ୟାର ଏକମାତ୍ର ସମାଧାନ ହେଉଛି ବର୍ଦ୍ଧିତ ଜନସଂଖ୍ୟା ଉପରେ ସମ୍ପୂର୍ଣ୍ଣ ଅଙ୍କୁଶ ଲଗାଇବା । ସଶକ୍ତ ଜନସଂଖ୍ୟା ନିୟନ୍ତ୍ରଣ ଆଇନ୍ ଆଣି ପ୍ରଥମେ ଦେଶର ଜନସଂଖ୍ୟାକୁ ସନ୍ତୁଳିତ କରିବା ଆବଶ୍ୟକ । ତେଣୁ ଜନସଂଖ୍ୟା ସମାଧାନ ଫାଉଣ୍ଡେସନର କନ୍ଧମାଳ ଜିଲ୍ଲା ଶାଖା ତରଫରୁ ପ୍ରଧାନମନ୍ତ୍ରୀଙ୍କ ଠାରେ ଏକମାତ୍ର ଦାବି ଉପସ୍ଥାନ କରାଯାଇଛି ଯେ, ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଦେଶର ପାର୍ଲିଆମେଣ୍ଟରେ କଠୋର ଆଇନ ଆଣି ସବୁ ନାଗରିକ ମାନଙ୍କ ପାଇଁ ଅତି ବେଶୀରେ ଦୁଇଟି ସନ୍ତାନ ଆଇନ ଅଣାଯାଉ । ଏବଂ ଭାରତରେ ଗୋଟାଏ ଆଇନ ଅଣାଯିବାକୁ ଦାବୀ କରିଥିଲେ ।