
ମାଲକାନଗିରି,ଚାଷୀ ମୁଣ୍ଡରେ ପଡିଛି ଚଡକ । ଫସଲ ଅମଳ କରିବା ସମୟ ପାଖେଇ ଆସୁଥିବା ବେଳେ ଧାନ କେବଳ ଅଗାଡି ହୋଇ ରହି ଯାଇଛି । ଧାନ ଭିତରେ ହେଇନାହିଁ ଚାଉଳ । କେବଳ ଅଗାଡି ହୋଇ ଝୁଲୁଛି ଗଛରେ । ଏହିଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଭୁବନପଲ୍ଲୀ, କୋଇମେଟାଲା, ତଣ୍ଡାବାଇ ଏବଂ ଆଉ କିଛି ପଞ୍ଚାୟତରେ । ଶହ ଶହ ହେକ୍ଟର ଜମି ଗୁଡିକ ପାଣି ଅଭାବରୁ ଧାନ ସବୁ ଅଗାଡି ହୋଇଥିବାର ଦେଖିବାକୁ ମିଳିଛି । ଫଳରେ ଜଣେ ଚାଷୀ ଖରା ବର୍ଷା ଏକ କରି, ମୁଣ୍ଡର ଝାଳ ତୁଣ୍ଡରେ ମାରି ନିଜର ସର୍ବସ୍ବ ଅଜାଡ଼ି ଦେଇଥାନ୍ତି ତାର ସେହି ଚାଷ ଜମିରେ । ଭଲ ଅମଳ ଟିଏ ହେଲେ ଆଣିଥିବା ଋଣ ସୁଝି ବାକିତକ ପଇସାରେ ନିଜର ପରିବାରର ଭରଣ ପୋଷଣ ଆଶା ରଖି ଆଗେଇ ଚାଲିଥାଏ ଚାଷି ଟିଏ । ହେଲେ ଭୁବନପାଲି ପଞ୍ଚାୟତର ଏମ.ଭି.-୧୨୭ ଗ୍ରାମର କିଛି ଚାଷୀ ଋଣ ଭାର କିପରି ସୁଝିବେ ତାକୁ ନେଇ ଚିନ୍ତାରେ ପଡିଛନ୍ତି । ଅଧିକାଂଶ ସମୟରେ ବହୁ ଚାଷୀ ଋଣ ଭାର ସୁଝି ନପାରି ଆତ୍ମହତ୍ୟା କରିଥିବା ବହୁତ ଥର ସାମନାକୁ ଆସିଛି ।
ହେଲେ ଚଳିତ ବର୍ଷ ଚାଷୀ ମାନେ ବର୍ଷା ଅଭାବ ସହିତ ଠିକ୍ ସମୟରେ ସାରର ଅଭାବ ଓ ଅଦିନିଆ ଖରା ବର୍ଷା ଯୋଗୁଁ କେନାଲରେ ଠିକ୍ ଭାବେ ପାଣି ନଆସିବାରୁ ଧାନ ଫସଲ କଳା ପଡି ରହିଥିବା ଦେଖିବାକୁ ମିଳିଛି । ନାନା ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳେ ଏବେ ସୁନାର ଫସଲ ଅମଳ ହେବା ଆଗରୁ ଅଗାଡିରେ ରହି ଯାଇଛି ସୁନାର ଫସଲ । ଋଣ ଆଣି ଚାଷ କରି ଚାଷ ଅମଳ ହେବା ବେଳକୁ ଚାଷୀ ମୁଣ୍ଡରେ ବଜ୍ର ପଡିଛି । ଏଣୁ ପ୍ରଶାସନ ତରଫରୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ରାଶି ଯୋଗାଇ ଦେବାକୁ ଜନ ସାଧାରଣରେ ଦୃଢ ଦାବି ହେଉଛି । ଏନେଇ ଭିଏଡବ୍ଲୁ କ୍ରିଷ୍ଣା ବିଶୋୟୀଙ୍କୁ ଜଣାଇବା ପରେ ସେ ଗ୍ରାମକୁ ଆସି ତଦାରଖ କରି ଫେରିଛନ୍ତି । ଏ ସମ୍ପର୍କରେ ସେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବେ ବୋଲି କହିଛନ୍ତି ।
ତେବେ ସାଧାରଣ ମହଲରେ ପ୍ରଶ୍ନ ଉଠୁଛି, ହେକ୍ଟର ହେକ୍ଟର ଏହି ଚାଷ ଜମି ସବୁ ଯେଉଁ ନଷ୍ଟ ହୋଇଛି ଏଥିପାଇଁ ଦାୟି କିଏ ? ଜଳସେଚନ ବିଭାଗ ନା କୃଷି ବିଭାଗ । ତେବେ ଦେଖିବାକୁ ବାକି ରହିଲା ଏହି ଚାଷୀ ମାନଙ୍କ ଦୁଃଖ ସରକାର କେବେ ବୁଝିବେ । ନଚେତ ଚାଷୀମାନେ ବାଧ୍ୟହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।