-
୨ ବେପାରୀ ଫେରାର୍
ମାଲକାନଗିରି, ମାଲକାନଗିରି ଜିଲ୍ଲା କାଲିମେଳା ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଉଛି ଚୋରା କଇଁଛ ବେପାର । ବେପାରୀ ମାନେ ପଡୋଶୀ ଆନ୍ଧ୍ର ପ୍ରଦେଶରୁ ବନ୍ୟପ୍ରାଣୀ ଆଇନ ଉଲ୍ଲଙ୍ଘନ କରି ଶହ ଶହ ମଧୂର କଇଁଛ ଆଣି ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲୋକ ମାନଙ୍କୁ ବିକ୍ରି କରୁଛନ୍ତି । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି କାଲିମେଳା ବ୍ଲକ ର ଏମ୍. ପି.ଭି- ୬୫ ଗ୍ରାମ ନିକଟରେ ।
କୌଣସି ଏକ ବିଶେଷ ସୂତ୍ରରୁ ଖବର ପାଇ କାଲିମେଳା ବନବିଭାଗର ବନପାଳ ସ୍ୱୟଂପ୍ରଭା ପ୍ରଧାନ, ବନରକ୍ଷୀ ରାମଚନ୍ଦ୍ର ମାଝୀ, ବାବୁରାମ ଦୁରୁଆ, ପାରା ଷ୍ଟାଫ୍ ଜୟନ୍ତ ନାୟକ, ରୁଦ୍ର ହନ୍ତାଳ ଏବଂ ଏସ୍.ଦିନେସ ରାଓ ପ୍ରମୁଖ ଆଜି ସକାଳ ୬ଟା ସମୟରୁ ସେହି ସ୍ଥାନରେ ଲୁଚି ବେପାରୀ ମାନଙ୍କୁ ଅପେକ୍ଷା କରିଥିଲେ । କିଛି ସମୟ ପରେ ବେପାରୀ ମାନେ ଦୁଇଟି ବାଇକ୍ ( ନଂ.-ଓଆର ୧୦ ସି ୧୪୪୧ଏବଂ ଓଡି୩୦ବି ୪୭୧୬) ଯୋଗେ କଇଁଛ ଗୁଡିକୁ ଅଖାବସ୍ତା ଭିତରେ ପୁରେଇ ଏମ୍. ପି.ଭି-୬୫ ଗ୍ରାମ ନିକଟସ୍ଥ ପେଦାଓ୍ବାଡା ପିଆର ଏଫ୍ ଜଙ୍ଗଲ ମଧ୍ୟରେ ଯିବା ସମୟରେ ସେମାନଙ୍କୁ କର୍ମଚାରୀ ମାନେ ଅଟକାଇବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ବାଇକ୍ ଦୁଇଟିକୁ ଜଙ୍ଗଲ ମଧ୍ୟରେ ଛାଡି କର୍ମଚାରୀଙ୍କ ଆଖିରେ ଧୂଳି ଦେଇ ୨ ଜଣ ବେପାରୀ ଜଙ୍ଗଲ ରାସ୍ତା ଦେଇ ଖସି ପଳାଇବାରେ ସକ୍ଷମ ହୋଇଥିଲେ । ବନ କର୍ମଚାରୀମାନେ ଅଖାରେ ଥିବା ୪୦ଗୋଟି କଇଁଛ ଜବତ କରିବା ସହ ୨ଗୋଟି ଗାଡିକୁ ମଧ୍ୟ ଜବତ କରାଯାଇଛି । ଗାଡି ଦୁଇଟିର ପଞ୍ଜିକୃତ ନମ୍ବର ଅନୁସାରେ ଗାଡି ମାଲିକଙ୍କ ନାମରେ କେସ୍ କରାଯିବ ବୋଲି ବନପାଳ ଶ୍ରୀମତୀ ପ୍ରଧାନ ପ୍ରକାଶ କରିଛନ୍ତି ।