ଭବାନୀପାଟଣା, କଳାହାଣ୍ଡି ଜିଲ୍ଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଆବାସ ଯୋଜନା ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି, ହେଲେ କେତେକ ସ୍ଥାନରେ ସରକାରୀ କର୍ମଚାରୀ ଓ ରାଜନୀତିଆଙ୍କ ଉଦାସୀନତା ମନୋଭାବ ଯୋଗୁଁ ପ୍ରକୃତ ହିତାଧିକାରୀ ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରୁନାହାଁନ୍ତି । ଏପରି ସ୍ଥିତିରେ ଦଦରା ଭଙ୍ଗା କୁଡ଼ିଆ, ମାଟି କାନ୍ଥ ନଡାଛପର ଘରେ ବର୍ଷ ବର୍ଷ ଧରି ଖରା ବର୍ଷା ଓ ଶୀତରେ ଗରୀବ ଲୋକେ କିଭଳି ଦୟନୀୟ ଅବସ୍ଥାରେ ଜୀବନ କାଟୁଛନ୍ତି ତାହା ଯେକେହି ସ୍ବଚକ୍ଷୁରେ ନଦେଖିଲେ ବିଶ୍ବାସ କରିପାରିବେ ନାହିଁ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସ୍ଥିତ ରଙ୍ଗସାପଲି ପଞ୍ଚାୟତର କାର୍ଲି କର୍ମାଟ ଗ୍ରାମର ସଞ୍ଜୁ ମାଝୀ ସ୍ୱାମୀ ଜଳନ୍ଧର ମାଝୀ ନଡ଼ା ଛପର ଘରେ ବର୍ଷ ବର୍ଷ ଧରି ଜୀବନ କାଟୁଛନ୍ତି । ସେହିପରି ଆଉ ଜଣେ ହେଉଛନ୍ତି ପ୍ରବୀଣ ମାଝୀ ସ୍ୱାମୀ ନନ୍ଦିକିଶୋର ମାଝୀ । ଘର ବର୍ଷା ପାଣିରେ ସମ୍ପୂର୍ଣ୍ଣ ଉଜୁଡି ଯିବାରୁ ଘରଖଣ୍ଡିକ ପାଇଁ ଉକ୍ତ ପରିବାର ସରପଞ୍ଚ ଓ ପିଇଓଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କେହି ତାଙ୍କର ଗୁହାରି ଶୁଣିଲେ ନାହିଁ ବୋଲି ଗଣମାଧ୍ୟମ ସାମନାରେ ଅତ୍ୟନ୍ତ କ୍ଷୋଭର ସହ ପ୍ରକାଶ କରିଛନ୍ତି ।
ଗ୍ରାମର ୱାର୍ଡ ମେମ୍ବର ଜେମାଜନୀ ଓ ସେହି ପରିବାର ଲୋକେ କହିଛନ୍ତି, ଆଦିବାସୀ ପରିବାର ପାଇଁ ପାତର ଅନ୍ତର ହୋଇଛି । ଅନ୍ୟପକ୍ଷରେ ଏ ସମ୍ପର୍କରେ ସରପଞ୍ଚ ସନ୍ତୋଷ ବୁଦ୍ଧିଆ ଓ ପିଇଓଙ୍କ ସହ ଫୋନ୍ ମାଧ୍ୟମରେ ଯୋଗାଯୋଗ କରିବାରେ ସେମାନେ କହିଛନ୍ତି ଯେ, ଏସିସି ତାଲିକାରେ ସାମିଲ ନ ଥିଲା ଏବେ ଇନ କ୍ଲୁଡିଙ୍ଗ ତାଲିକାରେ ଅଛି, ହେଲେ ଦେଖିବା ଆଗାମୀ ଦିନରେ, ତେଣୁ ପ୍ରଶାସନ ତୁରନ୍ତ ଘଟଣାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ।