କନ୍ଧମାଳ, କନ୍ଧମାଳ ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ଫୁଲବାଣୀ ମିଳିତ ନାଗରିକ କମିଟି ବୈଠକରେ ଉଦବେଗ ପ୍ରକାଶ ପାଇଛି । କନ୍ଧମାଳ ଜିଲ୍ଲାର ବିଭିନ୍ନ ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି । ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଉନଥିବା ଦେଖି ମିଳିତ ନାଗରିକ କମିଟି ପକ୍ଷରୁ ହାଟପଦା ଠାରେ ଡ. ଅରୁପ ଜେନାଙ୍କ ପୌରୋହିତ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅନୁଷ୍ଠାନର ଆବାହକ ଅଶୋକ ପରିଡା ସଦସ୍ୟ ମାନଙ୍କୁ ସ୍ୱାଗତ ଜଣାଇ ଜିଲାର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ । ସ୍ୱାସ୍ଥ୍ୟ ବିଭାଗର ଆବଶ୍ୟକ ସଂଖ୍ୟାରେ ବିଶେଷଜ୍ଞ ଓ ଜରୁରୀକାଳୀନ ଚିକିତ୍ସା ପାଇଁ ବ୍ୟବସ୍ଥା ନଥିବାରୁ ଅକାଳରେ ଜୀବନ ଚାଲିଯାଉଛି । ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କଲେଜରେ ଶିକ୍ଷା ଦାନ ପାଇଁ ଅଧ୍ୟାପକ ନାହାନ୍ତି । ମହାବିଦ୍ୟାଳୟର ସ୍ବୟଂଶାସିତ ମାନ୍ୟତା ପ୍ରତ୍ୟାହାର ହୋଇଗଲାଣି । ଶିକ୍ଷାର ମାନ ବୃଦ୍ଧି ପାଇଥିବା ଦୁଇ ଦୁଇଟା ବିଇଡି କଲେଜ ପ୍ରଶିକ୍ଷକ ଅଭାବରୁ ବନ୍ଦ ହୋଇଯାଇଛି। ରାସ୍ତା କୋଠାବାଡି ଓ ଜାତୀୟ ରାଜପଥରେ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ସଡ଼କ ଦୁର୍ଘଟଣାରେ ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ପିଅନପଡା ନିକଟରେ ଥିବା ପୁରାତନ ପୋଖରୀର ପୁନରୁଦ୍ଧାର ବଦଳରେ ମାଟି ପୋତି ହେଉଛି । ବିଭାଗ ଦୃଷ୍ଟି ଦେଉନାହିଁ । ଫୁଲବାଣୀରେ ଥିବା ବିଭିନ୍ନ ଛକ ଗୁଡିକରେ ଦୁର୍ଘଟଣା ରୋକିବାକୁ ହୋଇଥିବା ବହୁମୂଲ୍ୟର ହମ୍ପସ ଅଫିସରଙ୍କ ମନ ଇଚ୍ଛାରେ ଉଠାଇବା ଦୁର୍ଭାଗ୍ୟଜନକ । ଜିଲାରେ ବହୁ ସଂଖ୍ୟାରେ ଅଚିହ୍ନା ମୁସଲମାନଙ୍କ ଅପ୍ରତ୍ୟାଶିତ ପ୍ରବେଶ ଉପରେ ପୋଲିସ ବିଭାଗର ନଜର ନାହିଁ । ଚୋରି, ଡକାୟତି, ହତ୍ୟା ଓ ଅସାମାଜିକ କାର୍ଯ୍ୟ ଦିନକୁ ଦିନ ବୃଦ୍ଧି ପାଉଛି । ଯାହା ଚିନ୍ତାର କାରଣ । ବିଦ୍ୟୁତ ବିଭାଗର ଦୌରାତ୍ମ୍ୟରେ ଲୋକମାନେ ଅତିଷ୍ଠ । ବାରମ୍ବାର ଲାଇନ କଟୁଥିବାବେଳେ ବର୍ଦ୍ଧିତ ବିଦ୍ୟୁତ ବିଲ୍ ମନ ଇଚ୍ଛା ଆସୁଛି । ସହରର ଜନସଂଖ୍ୟା ବୃଦ୍ଧି ଦୃଷ୍ଟିରୁ ଏକ ବାଇପାସ୍ ରାସ୍ତା ନିର୍ମାଣ ପାଇଁ ଦିଆଯାଇଥିବା ପ୍ରସ୍ତାବ ଶୀତଳ ଭଣ୍ଡାରରେ ପଡିଛି । ବୃକ୍ଷରୋପଣ ନାଁରେ ବନ ବିଭାଗ, ମୃତ୍ତିକା ସଂରକ୍ଷଣ ଓ ଉଦ୍ୟାନ ବିଭାଗ ଇତ୍ୟାଦିରେ କୋଟି କୋଟି ହରିଲୁଟ୍ ଜିଲାବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଜଳସେଚନ ପାନୀୟ ଜଳ ମନରେଗା ଆଦିରେ ଠକେଇ ଜିଲାର ବିକାଶକୁ କାଗଜ କଲମରେ ଦର୍ଶାଯାଉଥିବାରୁ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା । ସରକାରୀ ନିୟମକୁ ଉଲ୍ଲଙ୍ଘନ କରି ଜିଲାର ଅଧିକାରୀ ମାନେ ଗୋଟିଏ ସ୍ଥାନରେ ବର୍ଷ ବର୍ଷ ଧରି ରହୁଥିବାରୁ ଦୁର୍ନୀତି ଓ ଭ୍ରଷ୍ଟାଚାର ବୃଦ୍ଧି ପାଉଥିବା ସଦସ୍ୟମାନେ ଆଲୋଚନା କରିଥିଲେ । ଆଗାମି ଦିନରେ ଉପରିସ୍ଥ ଅଧିକାରୀଙ୍କୁ ଏସବୁ ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବୀ କରିବା ସହ ପ୍ରତିବାଦ ଓ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ଅନ୍ୟମାନଙ୍କ ମଧ୍ୟରେ ରାଜକିଶୋର ବେହେରା, ବ୍ରଜ ପଟ୍ଟନାୟକ, ପରେଶ ମହାପାତ୍ର, ବିଜୟ ମହାନ୍ତି, ନାରାୟଣ ସାହୁ,ପ୍ରିୟ ନାଥ ଶର୍ମା,ରମେଶ ମହାନ୍ତି, ମନୋଜ ଚୌଧୁରୀ, ରାଜକିଶୋର ପାଢୀ, ସଚିଦାନନ୍ଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଜିଲାର ଅବ୍ୟବସ୍ଥା ଉପରେ ଉଦବେଗ ପ୍ରକାଶ କରିଥିଲେ ।