ପୁରୀ,ପୁରୀ ସହରବାସୀ ଆଜି ଠାରୁ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ଦେଇ ଶ୍ରୀଜୀଉଙ୍କୁ ଦର୍ଶନ କରୁଛନ୍ତି । ଦର୍ଶନ ପରେ ଆନନ୍ଦବଜାରରୁ ମହାପ୍ରସାଦ କିଣି ଉତର ଦ୍ୱାର ଦେଇ ପ୍ରସ୍ଥାନ କରୁଛନ୍ତି । ମନ୍ଦିର ପ୍ରବେଶ ପୂର୍ବରୁ ସମସ୍ତ ଭକ୍ତଙ୍କ ଆଧାରକାର୍ଡ଼, କୋଭିଡ଼୍ ର ଦୁଇଟି ଯାକ ଟୀକା ନେବାର ପ୍ରମାଣପତ୍ର କିମ୍ବା ଆରଟିପିସିଆର୍ ନେଗେଟିଭ୍ ରିପୋର୍ଟ ଦେଖାଇବାକୁ ବାଧ୍ୟତାମୂଳକ କରାଯାଇଛି । ଏଥି ନିମନ୍ତେ କିଓସ୍କୋ ମେସିନର ବ୍ୟବହାର କରାଯାଉଛି । ସେହିପରି ଦର୍ଶନ ନିମନ୍ତେ ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ପୂର୍ବରୁ ପୁରୀ ସହରବାସୀ ସର୍ବସାଧାରଣ ଶ୍ରଦ୍ଧାଳୁଙ୍କ ସହ ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ପ୍ରବେଶ ପୂର୍ବକ ଶ୍ରୀଜୀଉଙ୍କ ଦର୍ଶନ କରୁଥିଲେ । ମାତ୍ର ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କଟକଣା ଲାଗୁ ହେବା ପରେ ଶ୍ରୀଜୀଉଙ୍କ ଦର୍ଶନରୁ ବହୁ ସଂଖ୍ୟାରେ ସହରବାସୀ ବଂଚିତ ରହିଥିଲେ । ଏ ସମ୍ପର୍କରେ ବିଭିନ୍ନ ସଂଗଠନ ପକ୍ଷରୁ ଦାବି ପରେ ଶ୍ରୀମନ୍ଦିର ପ୍ରଶାସନ ସହର ବାସୀଙ୍କ ପାଇଁ ପଶ୍ଚିମ ଦ୍ୱାରରେ ପ୍ରବେଶ ନିମନ୍ତେ ଅନୁମତି ପ୍ରଦାନ କରିଥିଲା ।