ଶ୍ରୀ ଶ୍ରୀ ନୀଳାଦ୍ରି ବିହାରୀ କୋଟି କୈବଲ୍ୟନାଥ ଜଗନ୍ନାଥ ମହାପ୍ରଭୁ ରହସ୍ୟମୟ ପୁରୁଷୋତ୍ତମ । କେବଳ ଭାବ ଓ ଅନୁଭବରେ ତାଙ୍କୁ ପାଇହୁଏ । ସମସ୍ତ ଜ୍ଞାନ, ଯୋଗ, ମୀମାଂସା, ତର୍କ, ଠାରୁ ଉର୍ଦ୍ଧ୍ବରେ ସର୍ବତନ୍ତ୍ର ସ୍ବତନ୍ତ୍ର ଅଟନ୍ତି ସେ । ସବୁ ସମ୍ପ୍ରଦାୟ, ସବୁ ଧର୍ମ, ସବୁ ଦର୍ଶନ ତାଙ୍କ ଠାରେ ସମାହିତ । ସବୁ ଧର୍ମଗୁରୁ ତାଙ୍କୁ ନିଜ ଇଷ୍ଟଦେବତା ରୂପେ ସ୍ବୀକାର କରିଛନ୍ତି । ସେହି ପବିତ୍ର ଧାମ ପୁରସ୍ତମ ଶ୍ରେଷ୍ଠ ଧାମ କଳିଯୁଗରେ । ଶ୍ରୀବତ୍ସ ଖଣ୍ଡଶାଳ ଜଗନ୍ନାଥ ମହାପ୍ରଭୁଙ୍କ ପ୍ରିୟ ବାସସ୍ଥାନ । ଯାହାକୁ ଆମେ ଶ୍ରୀମନ୍ଦିର କହିଥାଉ । ତା ଭିତରେ ଚିନ୍ତାମଣି ଗୃହର ରତ୍ନ ସିଂହାସନରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତି । ଆପଣ ଦର୍ଶନ ପାଇଁ ଯିବାବେଳେ ସିଂହଦ୍ଵାର ଦେଇ ଯିବାର ବିଧି ରହିଛି । ଚଣ୍ଡବିକ୍ରମ ଓ ଅମିତବିକ୍ରମ ସିଂହଦ୍ବୟ ସଦର୍ପେ ଦଣ୍ଡାୟମାନ ଦୁଇ ପାର୍ଶ୍ୱରେ । ଏହାପରେ ପ୍ରଥମ ଗୁମୁଟ (ମନ୍ଦିର)। ଯେଉଁଠି ପତିତପାବନ ମହାପ୍ରଭୁ,ଫତେ ହନୁମାନ ବିରାଜମାନ କରିଛନ୍ତି । ଆପଣ ଦେଖିବେ ଯେଉଁଠାରୁ ବାଇଶି ପାହାଚ ଆରମ୍ଭ ହୋଇଛି । ତୃତୀୟ ପାହାଚ ମଝିରେ ଅଢେ଼ଇ ଫୁଟ ଲମ୍ବ ଓ ଫୁଟେ ଓସାରର ଏକ କଳା ରଙ୍ଗର ପଥର ପାହାଚ ସମତୁଲରେ ପଡ଼ିଛନ୍ତି । ଏହାଙ୍କୁ ଯମଶିଳା କୁହାଯାଏ । ଏହାଙ୍କ ମହିମା ଅପୂର୍ବ। ଅଦ୍ଭୁତ ଶିଳା । ଆପଣ ବାଇଶି ପାହାଚ ଚଢ଼ିବା ବେଳେ ଏହାଙ୍କ ଉପରେ ଦୁଇପାଦ ଦେଇ କିଛି ମୁହୁର୍ତ୍ତ ଛିଡ଼ା ହୋଇ ନୀଳଚକ୍ରଙ୍କୁ ଚାହିଁବା ବିଧେୟ । ବିଶ୍ଵାସ ଓ ଭାବର କଥା ଏହା । ନାସ୍ତିକ ମାନେ ଯୁକ୍ତି କରି ପାରନ୍ତି । ସବୁ ତର୍କ ଓ ତର୍ଜମାରୁ ଉର୍ଦ୍ଧ୍ବରେ ଶ୍ରୀ ଜଗନ୍ନାଥ ମହାପ୍ରଭୁ । ହଁ ଆପଣ ଯୋଡ଼ହସ୍ତରେ ସେହି ଯମଶିଳା ଉପରେ ଛିଡ଼ାହେଲେ ସମସ୍ତ ଜ୍ଞାତ ଓ ଅଜ୍ଞାତ କୃତ ପାପ ରସାତଳ ଗାମୀ ହୋଇଥାଏ । ପୌରାଣିକ ମତ ଅନୁଯାୟୀ, ଦର୍ଶନ ସାରି ଫେରିବା ସମୟରେ ସେହି ପଥରକୁ ଯେମିତି ଆପଣଙ୍କ ପାଦ ସ୍ପର୍ଶ ନକରେ ସତର୍କ ରହିବେ ନଚେତ୍ ପାପ ପୁନଃ ଶରୀରରେ ପ୍ରବେଶ କରିଯିବ ।