ଭଦ୍ରକ – ଆମ ଦେଶରେ ବହୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ କୋଟି କୋଟି ଟଙ୍କାର ଜନହିତକର ପ୍ରକଳ୍ପ ନିର୍ମାଣ ହେଉଥିବାବେଳେ ଆମ ରାଜ୍ୟ ସରକାରଙ୍କ ପ୍ରତି ଅସୂୟା ମନୋଭାବ ଯୋଗୁଁ କିଭଳି ଭଦ୍ରକର ବହୁ ପ୍ରତୀକ୍ଷିତ ଜାମୁଝାଡି-ଧାମରା ଜାତୀୟ ରାଜପଥ ନିର୍ମାଣର ଭାଗ୍ୟ ନାଁ ନାଁ, ହଁ ହଁରେ ଝୁଲୁଛି, ତାହାର ନଜିର ଦେଖିବାକୁ ମିଳିଛି ଏହାର ଅଧାପନ୍ତରିଆ କାର୍ଯ୍ୟରେ । ପ୍ରାପ୍ତ ଖବରରୁ ଯାହା ଜଣାଯାଏ କେନ୍ଦ୍ର ସରକାର ଜାମୁଝାଡି-ଧାମରା ପୂର୍ତ ବିଭାଗ ରାସ୍ତାକୁ ଭାରତମାଳା ଯୋଜନାରେ ଅନ୍ତର୍ଭୁକ୍ତ କରି ଏହାକୁ ଜାତୀୟ ରାଜପଥର ମାନ୍ୟତା ଦେଇଥିଲେ । ଏବଂ ଏଥିଯୋଗୁଁ ଭଦ୍ରକ ଜିଲାର ୫୩ ଗୋଟି ରାଜସ୍ୱ ଗ୍ରାମକୁ ଜାତୀୟ ରାଜପଥ ନିୟମ ୧୯୫୬ ମୂଳେ ଅଧିଗ୍ରହଣ କରିବା ପାଇଁ ନିଷ୍ପତି ନେବାସହ ଜିଲା ଭୂ-ଅର୍ଜନ ଅଧିକାରୀ କାର୍ତିକନାଥ ମଣ୍ଡଳଙ୍କୁ ପ୍ରାଧିକୃତ ଅଧିକାରୀ (ଜମି ଅଧିଗ୍ରହଣ ) ଭାବେ ନିଯୁକ୍ତ କରିଥିଲେ । ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ବାସୁଦେବପୁର ଓ ଚାନ୍ଦବାଲି ତହସିଲ ଅଧୀନସ୍ଥ ୨୮ ଗୋଟି ରାଜସ୍ୱ ଗ୍ରାମର ମୋଟ ୧୨୪.୩୬୫ ଏକର ସ୍ଥିତିବାନ ଜମି ଅଧିଗ୍ରହଣ କରିବା ପାଇଁ ଜାତୀୟ ରାଜପଥ ଆଇନ୍ ୧୯୫୬ ର ଧାରା ୩ (କ) ର ଅଧିସୂଚନା ଭାରତ ସରକାରଙ୍କ ଗେଜେଟ୍ ନଂ ୫୨୯୮, ତା ୧୨.୧୦.୧୮ ରିଖରେ ପ୍ରକାଶ ପାଇଁ ପ୍ରାଧିକୃତ ଅଧିକାରୀଙ୍କ ଦ୍ୱାରା ଏକ ପବ୍ଲିକ୍ ନୋଟିସ୍ ସଂଖ୍ୟା ୫୫୬୧, ତା ୦୩.୧୨.୧୮ ରିଖରେ ପ୍ରକାଶ କରିଥିଲେ । ଏଥିରେ ଅଭିଯୋଗ ପତ୍ର ପ୍ରଦାନ କରିବା ପାଇଁ କ୍ଷତିଗ୍ରସ୍ତ ଲୋକଙ୍କ ପାଖରୁ ଦରଖାସ୍ତ ଆହ୍ୱାନ କରାଯାଇଥିଲା । ଫଳରେ ୮୨ ଗୋଟି ଅଭିଯୋଗ ପତ୍ର ଜିଲା ପ୍ରଶାସନର ହସ୍ତଗତ ହୋଇ ପ୍ରାଧିକୃତ ଅଧିକାରୀଙ୍କ ଦ୍ୱାରା ୨୪.୦୧.୧୯ ରିଖରୁ ୨୯.୦୧.୧୯ ରିଖ ପର୍ଯ୍ୟନ୍ତ ଶୁଣାଣୀ କରାଯାଇଥିଲା । ଏଥିରେ ମୁଖ୍ୟତଃ ଅଭିଯୋଗ ଗୁଡିକ ସରକାରୀ ଭୂମି ଦଖଲ କରି ବାସଗୃହ, ଦୋକାନ ଗୃହ ଓ ବୃକ୍ଷାଦି ଗୁଡିକର କ୍ଷତିପୂରଣ ରାଶି ପାଇବା ସଂକ୍ରାନ୍ତରେ ଉଲ୍ଲିଖିତ ଥିଲା । ଇତିମଧ୍ୟରେ ପ୍ରାଧିକୃତ ଅଧିକାରୀଙ୍କ ଦ୍ୱାରା ଜାତୀୟ ରାଜପଥ ଆଇନ୍ ୧୯୫୬ ର ଧାରା ୩ (ଘ) ଅନୁଯାୟୀ ଚିଠା ଅଧିସୂଚନା କେନ୍ଦ୍ର ସରକାରଙ୍କୁ ପତ୍ର ସଂଖ୍ୟା ୫୮, ତା ୧୦.୧୦.୧୯ ରିଖରେ ପ୍ରେରଣ କରାଯାଇଥିଲା । ସେହିଭଳି ଅନ୍ୟ ୨୩ଟି ରାଜସ୍ୱ ଗ୍ରାମର ୨୩୬ ଏକର ୧୧ ଡେସିମିଲ୍ ପରିମିତ ସ୍ଥିତିବାନ ଜମି ପାଇଁ ଧାରା ୩ (କ) ର ଚିଠା ଅଧିସୂଚନା ପ୍ରାଧିକୃତ ଅଧିକାରୀଙ୍କ ଦ୍ୱାରା ଜାତୀୟ ରାଜପଥ ପ୍ରାଧିକରଣ ବିଭାଗକୁ କରାଯାଇଥିଲା । ଯାହାକି ଅନୁମୋଦନ ଅପେକ୍ଷାରେ ରହିଛି । କିନ୍ତୁ ଏହାମଧ୍ୟରେ ରାଜ୍ୟ ସରକାର ଜାମୁଝାଡି-ଧାମରା ପୂର୍ତ ବିଭାଗର ଉକ୍ତ ରାସ୍ତାର ନବୀକରଣ ପ୍ରକ୍ରିୟା ଆରମ୍ଭ କରିବା ସହ ଏହାର ନିର୍ମାଣ ଦାୟିତ୍ୱ ଟ୍ରାଇ ପାର୍ଟି ପାର୍ଟନର ପୂର୍ତ ବିଭାଗ ଡିପିସିଏଲ୍ (ଆଦାନୀ) ଓ ପ୍ରତିରକ୍ଷା ବିଭାଗ (ଡିଆରଡିଓ) ଙ୍କୁ ଦେଇଥିଲେ । ଏହି ପ୍ରକଳ୍ପର ବ୍ୟୟ ଅଟକଳ ପ୍ରାରମ୍ଭିକ ପର୍ଯ୍ୟାୟରେ ୨୧୨ କୋଟି ଟଙ୍କା ହୋଇ ଭୁବନେଶ୍ୱରର ୟୁଏମ୍ଏସ୍ଏଲ୍ ନାମକ ଏକ ଘରୋଇ କଂପାନୀକୁ ଟେଣ୍ଡର ଦିଆଯାଇଥିଲା । ଏଥିରେ ଡିପିସିଏଲକୁ ସମୁଦ୍ରରୁ ଡ୍ରେଜିଂ ଯୋଗେ ବାଲି ଖନନର ଦାୟିତ୍ୱ ଦିଆଯାଇଥିଲା । ଏବଂ ତହସିଲ ପକ୍ଷରୁ ସରକାରୀ ଜମି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ମଧ୍ୟ ଅନ୍ତିମ ପର୍ଯ୍ୟାୟରେ ପହଂଚିଥିଲା । ଏଥିରୁ ସ୍ପଷ୍ଟ ଭାବରେ ଜଣାପଡିଥିଲା ଯେ ରାଜ୍ୟ ସରକାର ଏହି ରାସ୍ତାଟିକୁ ନବୀକରଣ କରାଇ ପୂର୍ତ ବିଭାଗ ଅଧୀନରେ ରଖିବେ । ମାତ୍ର ରାଜ୍ୟ ସରକାର ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଜାତୀୟ ରାଜପଥ ନିର୍ମାଣର ସାବାସି ନେବାରେ କେନ୍ଦ୍ର ସରକାରଙ୍କର ଟାଳଟୁଳ ନୀତି ଏଭଳି ଏକ ବହୁ ପ୍ରତୀକ୍ଷିତ ପ୍ରକଳ୍ପର ଭବିଷ୍ୟତକୁ ତ୍ରିଶଙ୍କୁ ଅବସ୍ଥାରେ ରଖିଛି । ଏବଂ କ୍ଷତିଗ୍ରସ୍ତ ଲୋକେ ହରାଇଥିବା ଜମିର କ୍ଷତିପୂରଣ ନାଁ ପାଇପାରୁଛନ୍ତି, ନାଁ ଅନ୍ୟ କାହାକୁ ବିକ୍ରୟ କରି ନିଜର ଅଭାବ ଅସୁବିଧାର ଆବଶ୍ୟକତା ମେଣ୍ଟାଇ ପାରୁଛନ୍ତି । ଏଣୁ ଏହି ଜାତୀୟ ରାଜପଥ ନିର୍ମାଣ ନେଇ ୩୧୬ (କ)ର ଭୂଅର୍ଜନ ପ୍ରକ୍ରିୟା ଏବେ ଅଧାପନ୍ତରିଆ ଅବସ୍ଥାରେ ରହିଯାଇଛି ।
Related Stories
November 28, 2024
November 28, 2024