-
ବିଜେପି ପକ୍ଷରୁ ୧୨ ଘଂଟିଆ କେନ୍ଦ୍ରାପଡ଼ା ବନ୍ଦ ପାଳନ
କେନ୍ଦ୍ରାପଡ଼ା, କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗ ସନ ସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାର ପ୍ରତିବାଦ, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବିରେ ଆଜି ଜିଲ୍ଲା ବିଜେପି ପକ୍ଷରୁ ୧୨ ଘଂଟିଆ କେନ୍ଦ୍ରାପଡ଼ା ବନ୍ଦ ପାଳନ କରାଯାଇଛି । ସକାଳ ୬ଟାରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯାଉଛି । ଏହାର ପ୍ରଭାବରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । କଟକ- ଚାନ୍ଦବାଲି ରାସ୍ତାର ଦୁହୁରିଆ ଓ ତିନିମୁହାଣି ଠାରେ ବିଜେପି କର୍ମୀ ମାନେ ରାସ୍ତା ଅବରୋଧ କରି ଯାନବାହନ ଚଳାଚଳକୁ ସମ୍ପୂର୍ଣ୍ଣ ବନ୍ଦ କରି ଦେଇଛନ୍ତି । ଗତକାଲି ସଂନ୍ଧ୍ୟାରେ ବିଜେପି ପକ୍ଷରୁ ଏକ ବାଇକ୍ ଶୋଭାଯାତ୍ରା କରାଯାଇ ବନ୍ଦ ପାଳନକୁ ସହଯୋଗ କରିବା ପାଇଁ ଜନସାଧାରଣ ଓ ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କୁ ନିବେଦନ କରିଥିଲେ । ସହରର ମୁଖ୍ୟ ଛକ ମାନଙ୍କରେ ବିଜେପି କର୍ମୀ ମାନେ ଦୋକାନ ବଜାର ବନ୍ଦ ରଖିବା ପାଇଁ ଜନସାଧାରଣଙ୍କୁ ନିବଦେନ କରିବା ସହ ପିକେଟିଂ କରିଥିଲେ । ଦୋକାନ ବଜାର, ବ୍ୟାଙ୍କ, ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ବନ୍ଦ ରହିଛି । ତେବେ ଜରୁରୀକାଳୀନ ସେବାକୁ ଏଥିରୁ ବାଦ୍ ଦିଆଯାଇଛି । କେତେକ ସ୍ଥାନରେ କର୍ମଚାରୀ ମାନେ ଅଫିସ କାମ କରୁଥିବା ବେଳେ ଜନସାଧାରଣଙ୍କ ଭିତରକୁ ପ୍ରବେଶ ନଥିବା ଦେଖିବାକୁ ମିଳିଛି । ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଓ ସରକାରୀ ଦପ୍ତର ମାନଙ୍କରେ ପୋଲିସ ବାହିନୀ ମୁତୟନ ରହିଛନ୍ତି । କୋର୍ଟ ଖୋଲା ଥିଲେ ମଧ୍ୟ ମହକିଲ ମାନଙ୍କ ଦେଖା ନଥିଲା ।
କେନ୍ଦ୍ରାପଡା ଜିଲ୍ଲା ବିଜେପି ସଭାପତି କିଶୋର କୁମାର ପଣ୍ଡା, ସମ୍ପାଦକ ଅଭିମନ୍ୟୁ ଗୋଚ୍ଛାୟତ, ଟାଉନ ସଭାପତି ଦିଲ୍ଲୀପ ଦାସ, ଅଧ୍ୟାପକ ଭୁବନମୋହନ ଜେନା, କରୁଣାକର ସାହୁ, ହେମନ୍ତ ପରିଡ଼ା ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ଦଳୀୟ କର୍ମୀ ଏହି ଆନ୍ଦୋଳନରେ ସାମିଲ୍ ହୋଇଥିଲେ ।