ଗଞ୍ଜାମ – ଶବକୁ ମିଳିଲାନି ମହାପ୍ରୟାଣ ଗାଡି । ମୃତକଙ୍କ ସମ୍ପର୍କୀୟ ୪ କିମି ଭାରରେ ବୋହି ଶବକୁ ଗାଁକୁ ନେବାକୁ ବାଧ୍ୟ ହେଲେ । ଆଜି ଏଭଳି କରୁଣ ଦୃଶ୍ୟ ଦେଖିବାକୁ ମିଳିଥିଲା ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଲକ ଅଂଚଳରେ ।
ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଗୁଣସାଗର ଗ୍ରାମର ପଚାଂନନ ନାୟକ (୪୫)ଙ୍କ ଆଜି ଆଡ଼ପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ହେଲେ ଏଠାରେ ମହାପ୍ରୟାଣ ଗାଡିର ବ୍ୟବସ୍ଥା ନଥିବାରୁ ପରିବାର ଲୋକେ ପଚାଂନନଙ୍କ ଶବକୁ ୪ କି.ମି. ଦୂର ଭାରରେ ବୋହି ଗ୍ରାମକୁ ନେବା ସହିତ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରିଥିବା ଜଣାପଡିଛି । ସରକାରୀ ଗାଡି ନମିଳିବାରୁ ଏଭଳି ପରିସ୍ଥିତି ଉପୁଜିଥିବା କୁହାଯାଉଛି ।
ଅନ୍ୟପକ୍ଷରେ ଘଟଣା ସାମ୍ନାକୁ ଆସିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡ଼ିଏମଓ) ବିଜୟ କୁମାର ପାଣିଗ୍ରାହୀ କହିଛନ୍ତି ଯେ, ଏନେଇ ବିଧିବଦ୍ଧ ତଦନ୍ତ କରାଯିବ । ଯଦି ବିଭାଗୀୟ ଅବହେଳା ସଂକ୍ରାନ୍ତୀୟ କୌଣସି ରିପୋର୍ଟ ସାମ୍ନାକୁ ଆସେ ତେବେ ଆଗାମୀ ଦିନରେ ଏହା ଉପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।