ଭୁବନେଶ୍ୱର, ଗତ ଅଗଷ୍ଟ ମାସରେ ଆମ ରାଜ୍ୟର ସାଂସଦମାନେ ଓଡ଼ିଶାରେ ପଛୁଆବର୍ଗଙ୍କ ପାଇଁ ୨୭ ଭାଗ ସ୍ଥାନ ସଂରକ୍ଷଣ ଓ ଜାତିଗତ ଜନଗଣନା ଦାବି କରି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । କିନ୍ତୁ ତିନି ମାସ ବିତିଯାଇଥିଲେ ମଧ୍ୟ କେନ୍ଦ୍ର ସରକାର ତା’ଉପରେ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କଲେନାହିଁ । ନିଜର ସାମ୍ବିଧାନିକ ହକ୍ ପାଇଁ ଓ ଅଧିକାର ପାଇଁ ପଛୁଆବର୍ଗ ସଂରକ୍ଷଣକୁ ସମ୍ବିଧାନ ସଂଶୋଧନ କରି ନବମ ଅନୁଚ୍ଛେଦ ଅନ୍ତର୍ଭୁକ୍ତ କରିବା ପାଇଁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ଦାବି କରିଛି ।
ପାର୍ଟି ପକ୍ଷରୁ ଆଜି ସ୍ଥାନୀୟ ଲୋହିଆ ଏକାଡେମୀଠାରେ ରାଜ୍ୟ ସଭାପତି ରବି ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ପଛୁଆବର୍ଗ ଗଣକନ୍ଭେନ୍ସନରେ ଆଗାମୀ ପାର୍ଲାମେଂଟ ଅଧିବେଶନ ସମୟରେ ୨୭ଭାଗ ପଛୁଆବର୍ଗ ସଂରକ୍ଷଣକୁ ନିଶ୍ଚିତ କରିବା ପାଇଁ ସମ୍ବିଧାନ ସଂଶୋଧନ ପାଇଁ ପଦକ୍ଷେପ ନେବାକୁ ଦାବି କରାଯାଇଛି । ରାଜ୍ୟର ମୁଖ୍ୟମନ୍ତ୍ରୀ ଏ ବିଷୟରେ ତାଙ୍କ ଦଳର ସାଂସଦମାନଙ୍କୁ ପାର୍ଲାମେଣ୍ଟରେ ଏକଥା ଉପସ୍ଥାପିତ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ସମାଜବାଦୀ ପାର୍ଟି ଦାବି କରିଛି । ବିଜେପି ଓ କଂଗ୍ରେସ ସାଂସଦମାନେ ରାଜ୍ୟର ପଛୁଆବର୍ଗଙ୍କ ସ୍ୱାର୍ଥ ଦୃଷ୍ଟିରୁ ଦଳମତ ଊର୍ଦ୍ଧ୍ୱକୁ ଯାଇ ଆସନ୍ତା ନଭେମ୍ବର ୨୯ତାରିଖରୁ ଆରମ୍ଭ ହେଉଥିବା ସଂସଦ ଅଧିବେଶନ ସମୟରେ ପଛୁଆବର୍ଗ ସଂରକ୍ଷଣକୁ ସଂସଦରେ ଉପସ୍ଥାପିତ କରିବାକୁ ଶ୍ରୀ ବେହେରା ଦାବି କରିଛନ୍ତି । ଏହା ବ୍ୟତୀତ ଜାତିଗତ ଜନଗଣନା ତୁରନ୍ତ କାର୍ଯ୍ୟକାରୀ କରିବାକୁ ସମାଜବାଦୀ ପାର୍ଟି ଦାବି କରିଛି । ଏଠାରେ ପ୍ରକାଶଥାଉକି, ଗତ ମଇ ୧ ତାରିଖଠାରୁ ଜୁନ୍ ମାସ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟ ପଛୁଆବର୍ଗ କମିଶନଙ୍କ ପକ୍ଷରୁ ଜାତିଗତ ଜନଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମାତ୍ର କୋଭିଡ୍ ସଂକ୍ରମଣ ବୃଦ୍ଧି ହେବା ଯୋଗୁଁ ଏହା ସ୍ଥଗିତ ରହିଛି । ଆଜି ଯେତେବେଳେ ସ୍କୁଲ୍ କଲେଜ ସବୁ ଖୋଲି ଗଲାଣି, ବଜାର ଘାଟକୁ କଟକଣା ଉଠିଗଲାଣି, ତେଣୁ ସରକାର ତୁରନ୍ତ ଜାତିଗତ ଜନଗଣନା ପାଇଁ ପଦକ୍ଷେପ ନେବାକୁ ସମାଜବାଦୀ ପାର୍ଟି ଦାବି କରିଛି । ଏହି ଗଣକନ୍ଭେନ୍ସରେ ପାର୍ଟିର ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଦାନ ଭିତ୍ତିପତ୍ର ଉପସ୍ଥାପନ କରିଥିଲେ । ଆଗାମୀ ଦିନରେ ବିଭିନ୍ନ ଜିଲ୍ଲା ସ୍ତରରେ ପଛୁଆବର୍ଗ କନ୍ଭେନ୍ସନ୍ ଅନୁଷ୍ଠିତ ହୋଇ ଏହି ଆନ୍ଦୋଳନକୁ ତ୍ୱରାନ୍ୱିତ କରାଯିବ ।