ଭଦ୍ରକ – ଲଘୁଚାପ ଜନିତ ପ୍ରବଳ ବର୍ଷା ଥମିବାର ୪ ଦିନ ଅତିକ୍ରାନ୍ତ ହୋଇଥିଲେ ବି ଏହାର ପ୍ରଭାବରେ ରେବ-କପାଳୀ ନଦୀର ବନ୍ୟା ପରିସ୍ଥିତି ଧାମନଗର ବ୍ଲକ୍ର ୫ଟି ପଂଚାୟତକୁ ପ୍ରଭାବିତ କରିଛି । ଫଳରେ ଭଦ୍ରକ-ଆରଡି ରାସ୍ତାରେ ପାଣିର ସୁଅ ଦେଖାଦେଇଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଲଘୁଚାପ ଜନିତ ବର୍ଷା ଯୋଗୁଁ ଏହି ଦୁଇନଦୀରେ ବନ୍ୟା ପରିସ୍ଥିତି ଦେଖାଦେଇ ଧାମନଗର ବ୍ଲକ୍ର ଅସୁରାଳି, ଗଢିଆଳି, ଫତେପୁର, କାଶିମପୁର ଓ ବମକୁରା ଭଳି ୫ଟି ପଂଚାୟତରେ ବ୍ୟାପକ ଚାଷଜମି କ୍ଷତିଗ୍ରସ୍ତ ହୋଇଛି । ରେବ ନଦୀର ଉଛୁଳା ପାଣି ଅସୁରାଳି ଠାରେ ଭଦ୍ରକ ଆଖଣ୍ଡଳମଣି ରାଜ୍ୟ ରାଜପଥକୁ ବୁଡାଇ ରଖିଛି । ଅନୁରୂପ ଅସୁରାଳି-ବୋଡକ ଆରଡି ରାସ୍ତାର କାଶିମପୁର ଛକ-ଉଆସ ଏବଂ କାଶିମପୁର-ପଛାଲୋ ରାସ୍ତାକୁ ଗତ ୪ ଦିନ ଧରି ବୁଡାଇ ରଖିଛି । କପାଳୀ ନଦୀର ପାଣି ଅସୁରାଳି ପଂଚାୟତର ହାତିଆପଡା ଗାଁରେ ପ୍ରବେଶ କରିଛି । ଯାହା ଜଣାଯାଏ ତିନିଦିନର ଲଗାଣ ବର୍ଷା ଏହି ବ୍ଲକ୍ରେ ପ୍ରଭାବିତ ରେବ-କପାଳୀର ଜଳସ୍ତରକୁ ହଠାତ୍ ବଢାଇଦେଇଥିଲା । ବର୍ଷା ଛାଡିବାର ୪ ଦିନ ବିତିଥିଲେ ବି ଦୁଇନଦୀରେ ଜଳସ୍ତର ହ୍ରାସ ପାଇବାର ନାଁ ଧରୁନାହିଁ । ରେବ ଓ କପାଳୀ ନଦୀ ଉଛୁଳୁଥିବାରୁ ଗଢିଆଳି, ସୁବାନପୁର, କାକୁଡିଗଡିଆ, ଅସୁରାଳି, ଗାନ୍ଧିନଗର, ଗୋପବନ୍ଧୁନଗର, ଶ୍ରୀନାଥନଗର, ବମକୁରା, ମଙ୍ଗଳାବାଙ୍କ, ମଳିକସାହି, ଲେଂଜରା, ଶ୍ରୀରାମପୁର, ପତ୍ରିବିନ୍ଧା, ହେତମପୁର, ନାଉଗଡିଆ, ଦିନାଜପୁର, ଡିଲୋ, କାଶିମପୁର, ପଛାଲୋ, ଶ୍ରୀଗଙ୍ଗା, ଧରିତ୍ରୀନଗର, ହାତିଆପଡା, ତୋରବନ୍ତିଆ, ଖପରପଦା, ମଙ୍ଗଳପୁର ଓ ସରପୁର ଭଳି ଅଂଚଳର ଶହ ଶହ ହେକ୍ଟର ଧାନଜମି ଗତ ୪ ଦିନ ହେଲା ବୁଡି ରହିଛି । ଏ ସମସ୍ତ ଜମିରେ ଧାନଗଛ ଥୋଡ ଆସିବାକୁ ଥିବାବେଳେ ପାଣି ପଶିଥିବାରୁ ଏହା ନଷ୍ଟହେବାର ଆଶଙ୍କା ସୃଷ୍ଟି କରିଛି । ଅନୁରୂପ ଆଖୁ ଓ ପନିପରିବା ଚାଷ ମଧ୍ୟ ଏଥିଯୋଗୁଁ କେତେକାଂଶରେ ପ୍ରଭାବିତ ହୋଇଛି । ଦୁଇନଦୀର ପାଣି କାଶିମପୁର-ଉଆସ ରାସ୍ତା ଉପରେ ଚାଲିଥିବାରୁ ସାଧାରଣ ଲୋକେ ଯାତାୟତରେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହାତିଆପଡା-ନାୟକସାହି ମଧ୍ୟରେ କପାଳୀ ପାଣି ପଶୁଥିବାରୁ ସେଠାକାର ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଣୁ ବିଭାଗୀୟ କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।
Related Stories
November 28, 2024
November 28, 2024