ମାଲକାନଗିରି, ପୋଖରିରେ ବୁଡି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ ପଡ଼ୋଶୀ ରାଜ୍ୟ ଛତିଶଗଡ଼ରୁ ମାଲକାନଗିରି ଜିଲ୍ଲା ଏମଭି-୭୯ ଥାନା ଅନ୍ତର୍ଗତ ଏମଭି-୬୧ ଅଞ୍ଚଳକୁ ଚାଷ କାମ କରିବାକୁ ଆସିଥିଲେ ।
ସୂଚନା ଅନୁସାରେ, ଛତିଶଗଡ଼ର ସୁକମା ଜିଲ୍ଲା ବାଲାମପାଲି ଥାନା ଅନ୍ତର୍ଗତ ଇତାଗୁଡା ଗ୍ରାମର ଦେବା ସୋଡ଼ୀ ଓ ବାଣ୍ଡି ସୋଡ଼ୀ ଏମଭି-୬୧ ଗ୍ରାମର ବିଶ୍ୱଜିତ ମଲ୍ଲିକଙ୍କ ଘରେ ଚାଷ କାର୍ଯ୍ୟ କରୁଥିଲେ । ତେବେ ଗତ ରବିବାର ଠାରୁ ଦେବା ସୋଡ଼ୀ ନିଖୋଜ ରହିଥିବା ବେଳେ ଆଜି ସକାଳେ ନିକଟସ୍ଥ ପୋଖରୀରେ ଦେବାଙ୍କ ମୃତଦେହ ଭାସୁଥିବାର ବିଶ୍ୱଜିତଙ୍କ ପରିବାର ଲୋକେ ଦେଖିବାକୁ ପାଇଥିଲେ । ଏହାପରେ ବିଶ୍ୱଜିତଙ୍କ ପରିବାର ଲୋକେ ଏମଭି-୭୯ ଥାନାରେ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ମୃତ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ଖବର ପଠାଇଛି । ଦେବାଙ୍କ ପରିବାର ଲୋକେ ଆସିଲେ ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାପଡିଛି । ଏ ସଂକ୍ରାନ୍ତରେ ପ୍ରାଥମିକ ପର୍ଯ୍ୟାୟରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଘଟଣାର ତଦନ୍ତ ପରେ ଶ୍ରମିକଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି । ଏମଭି-୭୯ ଥାନା ଅଧିକାରୀ ଜୟ ପ୍ରକାଶ ନାରାୟଣଙ୍କ ନିର୍ଦ୍ଦେଶ କ୍ରମେ ଏଏସଆଇ ନବୀନ ଚନ୍ଦ୍ର ପୂଜାରୀ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।