-
ପୀଡ଼ିତାଙ୍କ ପରିବାରକୁ ଭେଟିଲା ବିଜେପିର ତିନି ଜଣିଆ କେନ୍ଦ୍ରୀୟ ଟିମ୍
ବଲାଙ୍ଗିର, କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗ ସନ ସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ଗତକାଲି କଂଗ୍ରେସର ଏକ ଦୁଇ ଜଣିଆ କେନ୍ଦ୍ରୀୟ ଟିମ୍ ପୀଡ଼ିତାଙ୍କ ଗାଁ ବଲାଙ୍ଗିର ଜିଲ୍ଲା ତୁରେଇକେଲା ବ୍ଲକ୍ ଅନ୍ତର୍ଗତ ଝରଣୀ ଗ୍ରାମକୁ ଯାଇ ପରିବାର ଲୋକଙ୍କୁ ଭେଟିଥିଲେ । ଅନୁରୂପ ଭାବେ ଆଜି ବିଜେପିର ତିନି ଜଣିଆ କେନ୍ଦ୍ରୀୟ ଟିମ୍ ମମିତାଙ୍କ ଘରକୁ ଯାଇ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି । ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସଭାନେତ୍ରୀ ଭି. ଶ୍ରୀନିବାସନଙ୍କ ନେତୃତ୍ୱରେ ଯାଇଥିବା ଏହି ଟିମ୍ ସେଠାରେ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିବା ସହ ଏନେଇ ଆଲୋଚନା କରିଛନ୍ତି । ରୋଜଗାରିଆ ଝିଅ ମମିତାଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡିଥିବା ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଛନ୍ତି । ଏହି ଟିମ୍ ରାୟପୁର ନୂଆପଡ଼ା ଦେଇ ଝରଣୀ ଗ୍ରାମରେ ଅପରାହ୍ନ ୨ଟାରେ ପହଂଚି ଥିଲେ । ଟିମ୍ ରେ ଅନ୍ୟମାନଙ୍କ ମଧ୍ୟରେ ସୁନିତା ଦୁଗଲ, ରୂପା ମିଶ୍ର ସାମିଲ୍ ଅଛନ୍ତି ।
ବିଜେପି କେନ୍ଦ୍ରୀୟ ଟିମ୍ ର ଏହି ଗସ୍ତ ବେଳେ ଅନ୍ୟମାନଙ୍କ ମଧ୍ୟରେ ବଲାଙ୍ଗିର ସାଂସଦ ସଙ୍ଗୀତା ସିଂହଦେଓ, ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ବଲାଙ୍ଗିର ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ବିଜେପି କର୍ମକର୍ତା ମାନେ ସାମିଲ୍ ଥିଲେ ।ଏଠାରେ ଉଲ୍ଲେଖଯୋଗ୍ୟ, ଗତକାଲି ଅଲଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି)ର ସାଧାରଣ ସମ୍ପାଦକ ରଣଦୀପ ସୁରଜେୱାଲା, ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ମମିତାଙ୍କ ପରିବାର ଲୋକଙ୍କୁ ଭେଟିଥିଲେ ।