ନୂଆପଡା, ମମିତା ମେହେର ହତ୍ୟାକାଣ୍ଡର ଉପଯୁକ୍ତ ତଦନ୍ତ ସହ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଆଜି ବିଜେପି ତରଫରୁ ନୂଆପଡା ଜିଲ୍ଲା ବ୍ୟାପି ବନ୍ଦ ପାଳିତ ହେଉଅଛି । ଜିଲ୍ଲା ଦେଇ ଯାଇଥିବା ୩୫୩ ନମ୍ବର ଜାତୀୟ ରାଜପଥକୁ ଜିଲ୍ଲାର ଅନେକ ସ୍ଥାନରେ ଅବରୋଧ କରିଛନ୍ତି ଭାଜପା କର୍ମୀ । ପାଞ୍ଚ ଗୋଟି ବ୍ଲକ ଏବଂ ତିନି ଗୋଟି ଏନଏସି ସହ ପ୍ରମୁଖ ସ୍ଥାନରେ ବନ୍ଦ ପାଳିତ ହେଉଅଛି । ଏହି ବନ୍ଦ ପାଳନ ସମୟରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ସରକାରୀ ଅନୁଷ୍ଠାନ, ଶିକ୍ଷା ଅନୁଷ୍ଠାନ, ବ୍ୟାବସାୟିକ ପ୍ରତିଷ୍ଠାନ ବନ୍ଦ ରହିଅଛି । ଅତ୍ୟାବଶ୍ୟକ ସେବାକୁ ଛାଡି ସମସ୍ତେ ବନ୍ଦ ପାଳନ କରୁଛନ୍ତି । ଜିଲ୍ଲାର ପ୍ରମୁଖ ସହର ଖଡ଼ିଆଳରେ ମଧ୍ୟ ବନ୍ଦ ପାଳନ କରାଯାଉଛି । ଖଡ଼ିଆଳ ଥାନା ଚୌକ ଠାରେ ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତ୍ତିଙ୍କ ନେତୃତ୍ବରେ ବନ୍ଦ ପାଳିତ ହେଉଥିବା ବେଳେ ଜିଲ୍ଲାର ବୃହତ୍ତମ ଗ୍ରାମ ତୁକଲା ଠାରେ ୧୬ ନମ୍ବର ରାଜ୍ୟ ରାଜପଥକୁ ଅବରୋଧ କରିଛନ୍ତି । ମମିତା ହତ୍ୟାକାଣ୍ଡର ଉପଯୁକ୍ତ ତଦନ୍ତ, ମାମଲାର ସିବିଆଇ ତଦନ୍ତ ଦାବି କରିଥିବା ବେଳେ ତଦନ୍ତ ଦିଗହରା ହେବା ନେଇ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କୁ ବହିଷ୍କାର ଦାବି କରିଛନ୍ତି ବିଜେପି କର୍ମୀ । ବନ୍ଦ ଯୋଗୁଁ ଖଡ଼ିଆଳ ଦେଇ ଯାତାୟାତ ବନ୍ଦ ରହିଥିବା ବେଳେ ଦୋକାନ ବଜାର ବନ୍ଦ ରହିଛି । ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ ଅବ୍ୟାହତ ରହିବ ।