
-
ପୀଡ଼ିତାଙ୍କ ପରିବାରକୁ ଭେଟିଲା କଂଗ୍ରେସର ଦୁଇ ଜଣିଆ କେନ୍ଦ୍ରୀୟ ଟିମ୍
ବଲାଙ୍ଗିର, କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗ ସନ ସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲା ସମ୍ପ୍ରତି ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଥିବା ବେଳେ ଆଜି କଂଗ୍ରେସର ଏକ ଦୁଇ ଜଣିଆ କେନ୍ଦ୍ରୀୟ ଟିମ୍ ପୀଡ଼ିତାଙ୍କ ଗାଁ ବଲାଙ୍ଗିର ଜିଲ୍ଲା ତୁରେଇକେଲା ବ୍ଲକ୍ ଅନ୍ତର୍ଗତ ଝରଣୀ ଗ୍ରାମକୁ ଯାଇ ପରିବାର ଲୋକଙ୍କୁ ଭେଟିଛନ୍ତି । ଏହି ଟିମ୍ ପୂର୍ବାହ୍ନ ସାଢ଼େ ୧୧ଟାରେ ପୀଡ଼ିତାଙ୍କ ଗ୍ରାମରେ ପହଂଚିଥିଲେ । ରୋଜଗାରିଆ ଝିଅ ମମିତାଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡିଥିବା ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଛନ୍ତି । ଏବଂ ମମିତାଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଆମେ ତାଙ୍କ ସହିତ ଅଛୁ ବୋଲି ପରିବାର ଲୋକଙ୍କୁ ଆଶ୍ୱାସନା ଦେଇଛନ୍ତି ।
ଏହି ଦୁଇ ଜଣିଆ ଟିମ୍ ରେ ଅଲଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି)ର ସାଧାରଣ ସମ୍ପାଦକ ରଣଦୀପ ସୁରଜିୱାଲା, ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ଥିଲେ । କେନ୍ଦ୍ରୀୟ ଟିମ୍ ର ଏହି ଗସ୍ତ କାଳରେ ବହୁ ସଂଖ୍ୟାରେ ଦଳୀୟ ନେତା ଓ କର୍ମୀ ସାମିଲ୍ ଥିଲେ ।