ମାଲକାନଗିରି, ନୂତନ ପଞ୍ଚାୟତ ଘୋଷଣା ଓ ରାସ୍ତା ନିର୍ମାଣ ଦାବୀ ନେଇ ଜିଲ୍ଲାପାଳଙ୍କୁ ଭେଟିଛନ୍ତି ବିଛିନ୍ନାଞ୍ଚଳ ନାକାମାମୁଡି ପଞ୍ଚାୟତବାସୀ । ମାଲକାନଗିରି ଜିଲ୍ଲାର ନାକାମାମୁଡି ପଞ୍ଚାୟତ ପୂର୍ବରୁ କୁଡୁମୁଲୁଗୁମ୍ମା ବ୍ଲକ ଅଧିନରେ ଥିଲା । କୁଡୁମୁଲୁଗୁମ୍ମା ବ୍ଲକକୁ ଚିତ୍ରକୋଣ୍ଡାକୁ ସ୍ଥାନାନ୍ତର ହେବା ପରେ ବର୍ତ୍ତମାନ କୋରୁକୁଣ୍ଡା ବ୍ଲକ ଅଧୀନରେ ଏହି ପଞ୍ଚାୟତ ରହିଛି । ତେବେ ଦୂରତା କାରଣରୁ ବିଭିନ୍ନ ସମସ୍ୟା ହେଉଥିବାବେଳେ ସ୍ଥାନୀୟ ଗ୍ରାମବାସୀଙ୍କ ଦାବି ପ୍ରତି ପ୍ରଶାସନ କର୍ଣ୍ଣପାତ ନକଲେ ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ପଞ୍ଚାୟତବାସୀ । ଏହି ପଞ୍ଚାୟତରେ ୧୯ ଟି ଓ୍ବାର୍ଡରେ ୩୩ ଟି ଗାଁର ୭ ହଜାରରୁ ଅଧିକ ଭୋଟର ଥିବାବେଳେ ୭ ଟି ୱାର୍ଡର ୧ ୫ଟି ଗାଁର ୬ ହଜାରରୁ ଅଧିକ ଗ୍ରାମବାସୀ ଚିତ୍ରକୋଣ୍ଡା ଜଳଭଣ୍ଡାର ମଧ୍ୟରେ ରୁହନ୍ତି ଏବଂ ଆଉ କିଛି ଗ୍ରାମ ପାହାଡ ପର୍ବତ ମଧ୍ୟରେ ରହୁଛି । ଗାଁ ଗୁଡିକ ପଞ୍ଚାୟତ ଠାରୁ ପ୍ରାୟ ୫0 କିଲୋମିଟର ଦୂର ହେଉଥିବାରୁ ଚାଲିଚାଲି ଆସି ଭତ୍ତା ଟଙ୍କା ଓ ପିଡିଏସ୍ ଚାଉଳ ନେବାକୁ ଦୁଇ ଦିନ ଲାଗିଯାଉଛି । ଯାହା ଫଳରେ ପଞ୍ଚାୟତବାସୀ ନିଜ ପଞ୍ଚାୟତକୁ ଆସି ସରକାରୀ ସୁବିଧା ସୁଯୋଗ ପାଇବାରେ ନାହିଁନଥିବା ସମସ୍ୟା ଭୋଗୁଛନ୍ତି । ଏଣୁ ଏହି ପଞ୍ଚାୟତର ବାୟାପଡା, ଆମ୍ବିଳିବେଡା, ନାରିଙ୍ଗିଝୋଲା, ମୁଦୁଲିଗୁଡା ଭଳି ବହୁ ଗାଁରୁ ଆଦିବାସୀ ଡିଡାଇ ଜନଜାତିର ଗ୍ରାମବାସୀ ଆସି ଜିଲ୍ଲାପାଳଙ୍କୁ ଭେଟି ନାକାମାମୁଡି ପଞ୍ଚାୟତକୁ ଭାଗକରି ବାୟାପଡା ଓ ମୁଦୁଲିଗୁଡାରେ ୨ଟି ନୂତନ ପଞ୍ଚାୟତ ଘୋଷଣା କରିବାକୁ ଦାବି କରିବା ସହ ସ୍ଥାନୀୟ ଅଞ୍ଚଳରେ ଯାତାୟତ ପାଇଁ ଭଲ ରାସ୍ତା ନିର୍ମାଣ କରିବାକୁ ଦାବି ଜଣାଇଛନ୍ତି । ଏହାର ତୁରନ୍ତ ସମାଧାନ କରାନଗଲେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବାକୁ ଜିଲ୍ଲାପାଳଙ୍କୁ ଜଣାଇ ଦେଇଛନ୍ତି ଗ୍ରାମବାସୀ । ଆଗାମୀ ଜନଗଣନା ଅନୁସାରେ ଯେଉଁ ଅଞ୍ଚଳରେ ଲୋକସଂଖ୍ୟା ଅଧିକ ହେବ, ସେ ଅଞ୍ଚଳରେ ନୂତନ ପଞ୍ଚାୟତ ଗଠନ କରାଯିବ ଏବଂ ପଞ୍ଚାୟତବାସୀ କରିଥିବା ଯାତାୟତ ସମସ୍ୟାର ସମାଧାନ ତୁରନ୍ତ କରାଯିବା ନେଇ ପ୍ରଶାସନ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି ଜିଲ୍ଲାପାଳ ।