ଭଦ୍ରକ, ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ପକ୍ଷରୁ ୫୩ ନମ୍ବର ରାଜ୍ୟ ରାଜପଥ ଭଦ୍ରକ-ଆନନ୍ଦପୁର ରାସ୍ତାରେ ଗତକାଲି ବିଳମ୍ବିତ ରାତିରେ କରୋନାଜନିତ ଏମଭିଆଇ ଏନଫୋର୍ସମେଣ୍ଟ ଚେକିଂ ଚାଲିଥିବା ବେଳେ ବରପଦା ନିକଟରେ ସନ୍ଦେହଜନକ ଭାବେ ଭଦ୍ରକ ଆସୁଥିବା ବାଇକ୍ ଚାଳକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ଗଣିଜଙ୍ଗ- ହାସିନପୁର ଗ୍ରାମ ନିଵାସୀ ଭାସ୍କର ପ୍ରଧାନଙ୍କ ପୁତ୍ର ଶ୍ରୀକାନ୍ତ ଓରଫ ବଡ଼ପୁଅ (୩୫) ଏବଂ ବାଇକ ପଛରେ ବସିଥିବା ଅର୍ଜୁନ ସେଠୀଙ୍କ ପୁତ୍ର ଅରୁଣ (୩୨)ଙ୍କୁ ଅଟକାଇ ସେମାନଙ୍କୁ ଯାଂଚ୍ କରାଯାଇଥିଲା । ଯାଂଚ୍ ବେଳେ ସେମାନଙ୍କ ନିକଟରୁ ୧ କେଜି ୩୦ ଗ୍ରାମ ବ୍ରାଉନସୁଗାର (ପ୍ରାୟ କୋଟିଏ ଟଙ୍କାରୁ ଉର୍ଦ୍ଧ୍ବ), ୩ଟି ମୋବାଇଲ ଓ ଗୋଟିଏ ଆଧାର କାର୍ଡ ଜବତ କରାଯାଇଛି । ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଭଦ୍ରକର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଚରଣସିଂ ମିନା । ଏ ସମ୍ପର୍କରେ ପୋଲିସ ଅଧିକ ତଦନ୍ତ କରୁଛି ବୋଲି ସେ କହିଛନ୍ତି ।