
ଭୁବନେଶ୍ଵର ଲୋକସଭା ଭବନଠାରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସ ବର୍ମା ଙ୍କ ଅଧ୍ୟକ୍ଷତାରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର କୃଷ୍ଣ ପ୍ରସାଦ ବ୍ଲକର ଚିଲିକା ଦୀପାଞ୍ଚଳ ମଧ୍ୟରେ ଥିବା ଚାରିଗୋଟି ସୋସାଇଟି ନୂଆପଡ଼ା, ବଡଝାଡ, ଅଲଣ୍ଡା ଓ ତିତିପ ସେବା ସମବାୟ ସମିତିର ଦୀର୍ଘଦିନ ଧରି ଥିବା ଚାଷୀମାନଙ୍କ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଶ୍ରୀ ଦାସ ବର୍ମା ଚିଲିକା ଦୀପାଞ୍ଚଳ ମଧ୍ୟରେ ଥିବା ଚାରିଗୋଟି ସୋସାଇଟି ହିତାଧିକାରୀ ମାନଙ୍କ ପାଇଁ କୃଷ୍ଣ ପ୍ରସାଦରେ ( ଦୀପାଞ୍ଚଳ ) ମଧ୍ୟରେ ପୁରୀ ନିମାପଡ଼ା ସମନ୍ବିତ ବ୍ୟାଙ୍କ ତରଫରୁ ଏକ ସ୍ବତନ୍ତ୍ର ଶାଖା ପ୍ରତିଷ୍ଠା କରିବା ସହିତ ଚଳିତବର୍ଷ କ୍ଷତି ଗ୍ରସ୍ତ ଚାଷୀ ମାନେ କିଭଳି ଭାବେ ସେମାନଙ୍କର ବୀମା ସଠିକ ଭାବରେ ପାଇପାରିବେ ତା ଉପରେ ଗୁରୁତ୍ବ ଆରୋପ କରିଥିଲେ। ଖାଦ୍ୟ ଯୋଗାଣ ଓ ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିର ବିକ୍ରମ ଯାଦବ ଯୋଗଦେଇ କୃଷ୍ଣପ୍ରସାଦ ଦୀପାଞ୍ଚଳ ରେ ପୁରୀ ନିମାପଡ଼ା ବ୍ୟାଙ୍କର ଏକ ସମ୍ପ୍ରସାରଣ କାଉଣ୍ଟର କାର୍ଯ୍ୟକ୍ଷମ କରିବା ସହିତ ଏହି ଚାରିଗୋଟି ସୋସାଇଟି ଅନ୍ତର୍ଗତ ହିତାଧିକାରୀ ଓ ଚାଷୀ ଯେଉଁ ଭଳି ଭାବେ କୈାଣସି ସମସ୍ୟା ରେ ଭବିଷ୍ୟତରେ ସମୁଖୀନ ନହେବେ ସେଥିପାଇଁ ରାଜ୍ୟ ସମବାୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ଭୁବନେଶ୍ଵର ରାଜ୍ୟ ସମବାୟ ବିଭାଗର ଗୋପବନ୍ଧୁ ଶତପଥି, ପୁରୀ ନିମାପଡ଼ା ସମନ୍ୱିତ ବ୍ୟାଙ୍କର ସଚିବ, ପୁରୀ ଜିଲ୍ଲା ପ୍ରଶାସନ, ସମବାୟ ବିଭାଗ ଅଧିକାରୀ ଓ ଚାରିଗୋଟି ସୋସାଇଟିର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।