ଗଞ୍ଜାମ, ୨୦୦୮ ରେ ବ୍ରହ୍ମପୁର ମହାନଗର ନିଗମ ଗଠନ ସମୟରେ ସହର ତଳି ୧୮ ଟି ପଞ୍ଚାୟତକୁ ବିଏମସିରେ ସାମିଲ୍ କରିବା ପାଇଁ ରାଜ୍ୟ ସରକାର ଗେଜେଟ୍ ନୋଟିଫିକେସନ ଜାରି କରିବା ପରେ ୧୩ ବର୍ଷ ସମୟ ଅତିବାହିତ ହୋଇଯାଇଛି । କିନ୍ତୁ, ରାଜ୍ୟ ସରକାରଙ୍କ ବ୍ରହ୍ମପୁର ପ୍ରତି କ୍ରମାଗତ ଅବହେଳାର ଫଳ ସ୍ୱରୁପ ବର୍ତ୍ତମାନ ସୁଦ୍ଧା ବିଏମସିରେ ଏହି ସହର ତଳି ଅଞ୍ଚଳ ସାମିଲ୍ ହୋଇ ପାରିନାହିଁ ଓ ଏଠି ରହୁଥିବା ପ୍ରାୟ ୩ ଲକ୍ଷ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ତେଣୁ ଏହି ଅଞ୍ଚଳ ଗୁଡ଼ିକୁ ବ୍ରହ୍ମପୁର ସହରରେ ଶୀଘ୍ର ମିଶାଇବା ପାଇଁ ଆଜି ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ଓ ଅନ୍ୟ ସାମାଜିକ ସଂଗଠନର କାର୍ଯ୍ୟକର୍ତ୍ତା ବିଏମସି କମିଶନରଙ୍କୁ ଏକ ଦାବିପତ୍ର ଦେଇ ଅନୁରୋଧ କରିଛନ୍ତି ।ଏହାଛଡା ବ୍ରହ୍ମପୁରର ବିପର୍ଯ୍ୟସ୍ତ ରାସ୍ତାଘାଟ ନିର୍ମାଣ କରିବା, ପରିମଳ ସୁଧାରିବା, ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଗେଟ୍ ବଜାର, ଫାଷ୍ଟ ଗେଟ ଓ କମାପଲ୍ଲୀ ଠାରେ ଫ୍ଲାଏ ଓଭର ନିର୍ମାଣ କରିବା, ସହରର ବିଭିନ୍ନ ସ୍ଥାନରେ ଫୁଟ ଓଭର ବ୍ରିଜ ପ୍ରତିଷ୍ଠା, ପ୍ରାୟ ୬ ବର୍ଷ ଧରି ବନ୍ଦ ରହିଥିବା ରିଙ୍ଗ ରୋଡ କାମ ଶୀଘ୍ର ଆରମ୍ଭ କରାଯିବା ଓ ପ୍ରେମ୍ ନଗର ରାସ୍ତା କାମ ତୁରନ୍ତ ସମାପ୍ତ କରିବାକୁ ଅନୁରୋଧ କରାଯାଇଛି ।
ସେହିପରି ଓଡ଼ିଶାର ଖାଦ୍ୟ କ୍ୟାପିଟାଲ ବ୍ରହ୍ମପୁରରେ ଫୁଡ୍ ପାର୍କ ପ୍ରତିଷ୍ଠା, ଯୁବପୀଢ଼ିକୁ ବ୍ୟବସାୟ କରିବାର ସୁବିଧା ଦେବାପାଇଁ ନୂଆ ମାର୍କେଟ କମ୍ପ୍ଲେକ୍ସ ଓ ଭେଣ୍ଡିଂ ଜୋନ ପ୍ରତିଷ୍ଠା କରିବାକୁ ଓଡ଼ିଶା ଡେଭଲପମେଣ୍ଟ ଫୋରମର କାର୍ଯ୍ୟକର୍ତ୍ତା ଅନୁରୋଧ କରିଥିଲେ ।
ବ୍ରହ୍ମପୁର ସହରର ବିକାଶ ପାଇଁ ବିଏମସି ଲଗାତାର କାମ କରୁଥିବା କଥା କମିଶନର କହିଥିବା ବେଳେ ନ୍ୟାର୍ଯ୍ୟ ଦାବି ଗୁଡ଼ିକୁ ପୂରଣ କରିବା ପାଇଁ ସେ ପ୍ରତିଶ୍ରୁତି ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଡେଭଲପମଣ୍ଟ ଫୋରମର ସଭାପତି ରାମ ପ୍ରସାଦ ତ୍ରିପାଠୀ, ବରିଷ୍ଠ ସଦସ୍ୟ ଲକ୍ଷ୍ମୀ ନାରାୟଣ ପାଢ଼ୀ, ଭି. ସୋମେଶ୍ୱର ରାଓ, ପ୍ରିତିଶ୍ ପାଣିଗ୍ରାହୀ ପ୍ରମୁଖ ସାମିଲ୍ ଥିଲେ ।