ପୁରୀ – ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ପୁଣି ଥରେ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା । ମୋଚିସାହିରେ ଥିବା ମହୋଦଧି ମାର୍କେଟ କମ୍ପେ୍ଲକ୍ସକୁ ପୂର୍ବରୁ ଜିଲ୍ଲା ପ୍ରଶାସନ ବିପଦସଙ୍କୁଳ ଘୋଷଣା କରିଥିବା ବେଳେ ଆଜି ପୌରସଂସ୍ଥା ପକ୍ଷରୁ ସକାଳ ୮ଟା ଠାରୁ ଏହାର ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ଉଚ୍ଛେଦ କାର୍ଯ୍ୟରେ ୬ଟି ଜେସିବି ମେସିନ୍ ନିୟୋଜିତ ହୋଇଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉଚ୍ଛେଦ କାର୍ଯ୍ୟ ଜାରୀ ରହିଛି । ସୁରକ୍ଷା ଦୃଷ୍ଟିରୁ ଘଟଣାସ୍ଥଳରେ ୧ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ଅଛନ୍ତି । ସଂନ୍ଧ୍ୟା ସୁଦ୍ଧା ଏହି ମାର୍କେଟ୍ କମ୍ପେ୍ଲକ୍ସକୁ ସମ୍ପୂର୍ଣ୍ଣ ଭାଙ୍ଗିବାକୁ ପ୍ରଶାସନର ଯୋଜନା ରହିଛି ।
ଏହି ମାର୍କେଟ କମ୍ପେ୍ଲକ୍ସରେ ମୋଟ୍ ୫୮ଟି ଦୋକାନ ରହିଛି । ଉଚ୍ଛେଦ ନେଇ ପୂର୍ବରୁ ଦୋକାନୀ ମାନଙ୍କୁ ନୋଟିସ୍ କରାଯାଇଥିବା ବେଳେ ଗତ ୧୪ ତାରିଖ ସୁଦ୍ଧା ସମସ୍ତ ଦୋକାନ ଘର ଗୁଡିକୁ ଖାଲି କରାଯାଇଥିଲା । ଏପରିକି ଉଚ୍ଛେଦ ପରେ ଏଠାରେ ବହୁତଳ ବିଶିଷ୍ଟ ମାର୍କେଟ୍ କମ୍ପେ୍ଲକ୍ସ ନିର୍ମାଣ କରାଯିବ ଏବଂ ସମ୍ପୃକ୍ତ ଦୋକାନୀ ମାନଙ୍କୁ ଏଠାରେ ଥଇଥାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶୃତି ମିଳିଛି । ତେବେ କେବେ ଦୋକାନ ଗୃହ ମିଳିବ ଓ ଦୋକାନୀମାନେ ପୁନଃ ସେମାନଙ୍କର ବ୍ୟବସାୟ ଆରମ୍ଭ କରିବେ ତାକୁ ନେଇ ଚିନ୍ତାରେ ପଡିଛନ୍ତି ବ୍ୟବସାୟୀ ମାନେ । ଯାହାକି ଦୋକାନୀ ମାନଙ୍କ ପାଇଁ ଆକାଶ କଇଁଆ ଚିଲିକା ମାଛ ସଦୃଶ ହୋଇଥିବା ଅଭିଯୋଗ ହୋଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଚାରିପାଖରେ ଉଚ୍ଛେଦ କରାଯାଇଥିଲା । ଯାହାଦ୍ୱାରା ୧୫୦ ରୁ ଉଦ୍ଧ୍ୱର୍ ଛୋଟ ବଡ ଦୋକାନୀ ନିଜର ବ୍ୟବସାୟ ହରାଇଥିଲେ । ଏବେ ପୁଣି ୫୮ ଦୋକାନୀଙ୍କୁ ଉଚ୍ଛେଦ ଫଳରେ ଆଉ କିଛି ବ୍ୟବସାୟୀ ନିଜର ଜୀବନ ଜୀବିକା ହରାଇଛନ୍ତି । ତୁରନ୍ତ ପ୍ରଶାସନ ସେମାନଙ୍କ ନିମନ୍ତେ କୌଣସି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ବ୍ୟବସାୟୀ ମହଲରେ ଦାବି ହେଉଛି ।