-
ଦଳିଚକଟି ନଷ୍ଟ କଲେ ୧୦ ଭରଣରୁ ଉର୍ଦ୍ଧ୍ବ ଧାନ ଫସଲ
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବନାଞ୍ଚଳରେ ରବିବାର ବିଳମ୍ବିତ ରାତିରୁ ଏକ ହାତୀପଲ ଆସି ଚାଙ୍ଗୁଡ଼ିଦେଇ ଜଙ୍ଗଲରେ ଡେରା ପକାଇଛନ୍ତି । ଖେମୁଣ୍ଡି କଲେଜ ନିକଟସ୍ଥ ମୌଳାଭଞ୍ଜା ରାଧାନଗର ଗାଁର ବାବୁ ଗୌଡ଼ ଏବଂ ମଧୁସୂଦନ ଗୌଡ଼ଙ୍କ ସମେତ ଅନ୍ୟ ଚାଷୀ ମାନଙ୍କର ପ୍ରାୟ ୧୦ ଭରଣରୁ ଉର୍ଦ୍ଧ୍ବ ଚାଷ ଜମିର ଧାନ ଫସଲ ହାତୀ ପଲ ଦଳି ଚକଟି ନଷ୍ଟ କରିଦେଇଛନ୍ତି । ସୋମବାର ସକାଳୁ ଚାଷୀ ମାନେ ନିଜ ନିଜ ଚାଷ ଜମିରେ ନଷ୍ଟ ହୋଇଥିବା ଫସଲ ଏବଂ ହାତୀର ମଳ ଦେଖି ଦିଗପହଣ୍ଡି ବନ ବିଭାଗକୁ ଖବର କରିଥିଲେ । ବନ ବିଭାଗ କର୍ମଚାରୀମାନେ ଚାଷ ଜମିର ସ୍ଥିତି ଦେଖି ଫେରିଛନ୍ତି । ସବୁ ବର୍ଷ ଖରିଫ ୠତୁ ଅନ୍ତ ସମୟରେ ହାତୀ ପଲ ଆସି ଫସଲ ନଷ୍ଟ କରୁଥିବା ବେଳେ ଚଳିତ ବର୍ଷ ହାତୀ ପଲ ଆଗୁଆ ଆସିଯାଇଛନ୍ତି । ଧାନ ଫୁଲ ଧରିଥିବା ସମୟରେ ହିଁ ହାତୀପଲ ଉପଦ୍ରବରେ ଫସଲ ସବୁ ନଷ୍ଟ ହୋଇଗଲାଣି । ଚାଷୀମାନେ ଏନେଇ କ୍ଷତିପୁରଣ ଦାବି କରିଛନ୍ତି । ରତ୍ନେଇ ଜଙ୍ଗଲରୁ ୯ଟି ହାତୀ ଦିଗପହଣ୍ଡି ବନାଞ୍ଚଳକୁ ଆସିଯାଇଥିବା ସୂଚନା ମିଳିଛି ।