ଗଞ୍ଜାମ, ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ତହସିଲ ଅଧିନସ୍ଥ ପାଟପୁର ରାଜସ୍ବ ସର୍କଲରେ କାର୍ଯ୍ୟରତ ରାଜସ୍ବ ନିରିକ୍ଷକ ଅନ୍ତର୍ଯ୍ୟାମୀ ନାହକଙ୍କୁ ଚୁଡଙ୍ଗପୁର ଗ୍ରାମର ଟ୍ରାକ୍ଟର ଚାଳକ ଏ . ଭରତୁ ଆକ୍ରମଣ କରିଥିବା ଅଭିଯୋଗରେ ସୋମବାର ଦିନ ସ୍ଥାନୀୟ ତହସିଲଦାର ଶ୍ରୀନିବାସ ବେହେରା ଦିଗପହଣ୍ଡି ଥାନାରେ ଏତଲା ଦେଇଥିବା ଜଣାପଡିଛି । ଖବରନୁଯାୟୀ, ଗତକାଲି ରାଜସ୍ବ ନୀରିକ୍ଷକ ଜଣକ ଚୁଡଙ୍ଗପୁର ଅଞ୍ଚଳରେ ନିଜ କାର୍ଯ୍ୟ କରୁଥିବା ବେଳେ (ଓଆର ୦୭ ଆର୍ ୯୯୬୭) ନଂ ଟ୍ରାକ୍ଟରରେ ଚାଳକ ବେଆଇନ ଭାବେ ପଥର ଖଣ୍ଡ ନେଇ ମୁଖ୍ୟ ରାସ୍ତାରେ ଯାଉଥିବା ସମୟରେ ଗାଡ଼ିକୁ ଅଟକାଇ ଥିଲେ । ଏହାପରେ ୱାଇଫର୍ମ ଦେଖାଇବା ପାଇଁ କହିଥିଲେ । କିନ୍ତୁ ଚାଳକ ଜଣକ ଏହାକୁ ବେଖାତିର କରି ଜୋର ଜବରଦସ୍ତି ଗାଡ଼ିକୁ ନେଇ ଯାଇଥିଲେ । ପରେ ନିରୀକ୍ଷକ ଉକ୍ତ ଗାଡ଼ିର ପିଛା କରି ମିଲ ସାହି ନିକଟରେ ଗାଡ଼ିକୁ ପୁଣିଥରେ ଅଟକାଇଥିଲେ । ପୁଣିଥରେ ୱାଇଫର୍ମ ମାଗିବାରୁ ଏକ ପୁରୁଣା ଫର୍ମ ଦେଖାଇଥିଲେ । ଏହାପରେ ନିରୀକ୍ଷକ ସ୍ଥାନୀୟ ତହସିଲଦାରଙ୍କୁ ଅବଗତ କରାଇବା ପାଇଁ ଫୋନ କରିବା ସମୟରେ ଚାଳକ ଜଣକ ଉତ୍ତେଜିତ ହୋଇ ମୋବାଇଲ ଛଡ଼ାଇବା ସହ ପେଟକୁ ଗୋଇଠା ଓ ଗାଲକୁ ଶକ୍ତ ଚାପୁଡ଼ା ମାରିଥିଲେ । ଘଟଣାପରେ ଷ୍ଟାଫ୍ ପହଞ୍ଚି ତାଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା କରାଇଥିଲେ । ଏନେଇ ଆଜି ତହସିଲଦାର ଶ୍ରୀ ବେହେରାଙ୍କ ସମେତ ସୁପରଭାଇଜର ଚିତ୍ରସେନ ସାହୁ , ରାଜସ୍ୱ ନିରୀକ୍ଷକ ରତ୍ନାକର ସ୍ବାଇଁ, ଭଗବାନ ପାତ୍ର ଦିଗପହଣ୍ଡି ଥାନାରେ ପହଞ୍ଚି ଅଭିଯୁକ୍ତଙ୍କ ବିରୁଦ୍ଧରେ ଏତଲା ଦେବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଦାବି କରିଛନ୍ତି ।