
-
ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦକୁ ରାତାରାତି ଜେଏମଏଫସିଙ୍କ ପାଖରେ ହାଜର କଲା ପୋଲିସ
-
କଂଟାବାଞ୍ଜି ଜେଲ୍ ହାଜତରେ ଗୋବିନ୍ଦ
ବଲାଙ୍ଗିର, କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗ ସନ ସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ୫ ଦିନିଆ ପୋଲିସ ରିମାଣ୍ଡ ଅବଧି ଗତକାଲି ଶେଷ ହେବା ପରେ ବଲାଙ୍ଗିର ପୋଲିସ ପକ୍ଷରୁ ଅଭିଯୁକ୍ତକୁ ବଙ୍ଗୋମୁଣ୍ଡା ଜେଏମଏଫସିଙ୍କ ପାଖରେ ହାଜର କରାଯାଇଥିଲା । ପୋଲିସ ଗୋବିନ୍ଦକୁ ବଲାଙ୍ଗିରରୁ ଗାଡ଼ିରେ ନେଇ ରାତି ପ୍ରାୟ ସାଢ଼େ ୩ଟାରେ କଂଟାବାଞ୍ଜିରେ ପହଂଚିଥିଲା । ମାଜିଷ୍ଟ୍ରେଟ ତାକୁ କଂଟାବାଞ୍ଜି ଜେଲ୍ ହାଜତକୁ ପଠାଇ ଦେଇଥିଲେ । ରାତି ସାଢ଼େ ୪ଟା ସୁଦ୍ଧା ହାଜତକୁ ଯାଇ ସାରିଥିଲା ଅଭିଯୁକ୍ତ ।
ଏଠାରେ ଉଲ୍ଲେଖଯୋଗ୍ୟ, ଘଟଣାର ସମ୍ବେଦନଶିଳତା, ଗଣମାଧ୍ୟମ ଓ ଜନସାଧାଣଙ୍କ ଭିଡ଼କୁ ଏଡାଇବାକୁ ପୋଲିସ ରାତାରାତି ଗୋବିନ୍ଦକୁ ଜେଏମଏଫସିଙ୍କ ନିକଟରେ ହାଜର କରିଥିବା ଜଣାପଡିଛି । ରାତାରାତି ଗୋବିନ୍ଦକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।ପ୍ରକାଶ ଥାଉକି, ଗତ ୨୦ ତାରିଖରେ ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ଗୋବିନ୍ଦକୁ ହାଜର କରିବା ସହ ୫ ଦିନିଆ ରିମାଣ୍ଡରେ ନେଇ ଘଟଣା ବାବଦରେ ତଥ୍ୟ ସଂଗ୍ରହ କରିଥିଲା ପୋଲିସ । ଗୋବିନ୍ଦ ପୋଲିସ ବାରାକ୍ ରୁ ଫେରାର୍ ହେବା ପରେ ତାକୁ କିଏ ମୋବାଇଲ୍ ଦେଇଥିଲା, ସମ୍ପୂର୍ଣ୍ଣ ଘଟଣା କଣ ରହିଥିଲା ଏବଂ ଘଟଣା ପଛରେ ଅନ୍ୟ କେଉଁ ମାନଙ୍କର ସମ୍ପୃକ୍ତି ରହିଛି ପୋଲିସ ସେନେଇ ପଚରା ଉଚୁରା କରିଥିଲା ।