
ମାଲକାନଗିରି, ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ମୋଟୁ ଥାନା ଅଞ୍ଚଳରେ ଜଣେ ୧୫ ବର୍ଷୀୟ ନାବାଳିକାକୁ ଅପହରଣ ହୋଇଥିବା ନେଇ ପରିବାର ଲୋକେ ଗତ ୨୦ ତାରିଖରେ ମୋଟୁ ଥାନାରେ ଏକ ଲିଖିତ ଏତଲା କରିଥିଲେ । ତେବେ ମୋଟୁ ଥାନା ଅନ୍ତର୍ଗତ ଏମପିଭି -୪୭ ନମ୍ବର ଗ୍ରାମର ଅଜିତ ସର୍ଦାରଙ୍କ ପୁଅ ଶଶୀ ସର୍ଦାର(୨୪) ଝିଅକୁ ଘରୁ ଅପହରଣ କରି ନେଇଥିବା ଏତଲାରେ ଦର୍ଶାଯାଇଥିଲା । ଘଟଣାରେ ସମ୍ପୃକ୍ତ ଯୁବକ ଶଶୀ ଫେରାର ହୋଇଯାଇଥିବା ବେଳେ ଝିଅକୁ ପୋଲିସ ଉଦ୍ଧାର କରିଥିଲେ । ଏ ନେଇ ମୋଟୁ ଥାନାରେ ୧୦୭/୨୧ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା ମୋଟୁ ପୋଲିସ । ଘଟଣାରେ ସମ୍ପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତ ଶଶୀ ଫେରାର ହୋଇଯାଇଥିଲା । ତାକୁ ଧରିବା ପାଇଁ ଥାନା ଅଧିକାରୀ ଅଶୋକ କୁମାର ବିଶୋଇଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ ନିମାଇଁ ଚରଣ ପଣ୍ଡାଙ୍କ ନେତୃତ୍ୱରେ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ।
ଏକ ବିଶେଷ ସୂତ୍ରରୁ ଖବର ପାଇ ପୋଲିସର ଏହି ଟିମ୍ ଶଶୀଙ୍କୁ ଗତକାଲି ରାତିରେ ତେଲେଙ୍ଗାନା ରାଜ୍ୟର ଭଦ୍ରାଚଳମ ଅଞ୍ଚଳରୁ ଗିରଫ କରିଥିଲେ । ଆଜି ଅଭିଯୁକ୍ତ ଶଶୀକୁ ଦଫା ୩୬୩/୩୬୬/୩୭୬(୨)/୩୭୬(୩)/୫୦୬/୩୪ ଆଇପିସି ୦୬/୧୭ ପୋକ୍ସ ଆକ୍ଟରେ କୋର୍ଟଚାଲାଣ କରାଯାଇଛି ବୋଲି ମୋଟୁ ଥାନା ଆଇଆଇସି ଅଶୋକ ବିଶୋଇ ଓ ଏସଆଇ ଶ୍ରୀ ପଣ୍ଡା କହିଛନ୍ତି ।
ସୂଚନା ଥାଉକି, ଗତ ୧୮ ତାରିଖ ସୋମବାର ସନ୍ଧ୍ୟାରେ ଶଶୀ ଘରକୁ ବୁଲିବାକୁ ଆସି ଏହି କାଣ୍ଡ କରିଥିବା ଝିଅର ବାପା ଜଣାଇଥିଲେ ।ତା” ପରଦିନ ସକାଳୁ ଝିଅକୁ ଘରେ ନ ପାଇ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ କିନ୍ତୁ କୌଣସି ସନ୍ଧାନ ମିଳି ନ ଥିଲା । ଶେଷରେ ଗତ ବୁଧବାର ମୋଟୁ ଥାନାରେ ଏ ନେଇ ପରିବାର ଲୋକଙ୍କ ପକ୍ଷରୁ ଏତଲା ଦିଆଯାଇଥିଲା । ବର୍ତମାନ ଏହି ଘଟଣାର ତଦନ୍ତ ଏସଆଇ ଶ୍ରୀ ପଣ୍ଡା ଜାରୀ ରଖିଛନ୍ତି ବୋଲି ଥାନା ଅଧିକାରୀ ଶ୍ରୀ ବିଶୋଇ କହିଛନ୍ତି ।