ଭଦ୍ରକ – କାଳୀ ପୂଜା ଉପଲକ୍ଷେ ଓଡ଼ିଶା ପ୍ରସିଦ୍ଧ ଭଦ୍ରକର ମା’ ଭଦ୍ରକାଳୀଙ୍କ ପୀଠରେ ମାଙ୍କର ସପ୍ତମାତୃକା ବେଶ ଅନୁଷ୍ଠିତ ହେଉଛି । ଏହି କ୍ରମରେ ଆଜି ତୃତୀୟ ଦିବସରେ ମା’ ଭଦ୍ରକାଳୀଙ୍କ ରାଜ ରାଜେଶ୍ୱରୀ ବେଶ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମାଙ୍କୁ ରାଜ ରାଜେଶ୍ୱରୀ ବେଶରେ ସଜ୍ଜିତ କରାଯାଇଛି । ପ୍ରାତଃରେ ସମସ୍ତ ରୀତିନୀତି ମୁତାବକ ପ୍ରାତଃ ଆଳତୀ ଓ ପୂଜାର୍ଚ୍ଚନା କରାଯିବା ପରେ ମା’ ଏହି ଦୁଲ୍ଲଭ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ମା’ ଙ୍କର ଏହି ଶତୃ ସଂହାର ବେଶ ଦର୍ଶନ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଏଠାକୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଶଙ୍ଖ, ଚକ୍ର, ଗଦା, ପଦ୍ମରେ ବିଭୂଷିତ ମାଙ୍କର ଏହି ଶତୃ ସଂହାର ବେଶ ବେଶ୍ ନିଆରା ।
ମନ୍ଦିରର ମ୍ୟାନେଜିଙ୍ଗ ଟ୍ରଷ୍ଟି ତଥା ଉପଜିଲ୍ଲାପାଳ ପୀତାମ୍ବର ସାମଲଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଜିଲ୍ଲାର ବିଭିନ୍ନ ବିଭାଗର ପ୍ରଶାସନିକ ଅଧିକାରି ଓ ସେବାୟତ ମାନଙ୍କ ସହଯୋଗରେ ମାଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ରହଣିର ବ୍ୟବସ୍ଥା ଓ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ବିଶେଷ କରି ଏହି ଉପଲକ୍ଷେ ମନ୍ଦିର ପରିସରରେ ଖୋଲାଯାଇଥିବା ଷ୍ଟଲ୍ ମାନଙ୍କରେ ଭିଡ଼ ଦେଖିବାକୁ ମିଳିଥିଲା । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ଆସନ୍ତକାଲି ମା ସିଂହବାହିନୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ।