ଭୁବନେଶ୍ୱର, ଶିକ୍ଷୟତ୍ରୀ ମମିତା ମେହେର୍ ହତ୍ୟାକାଣ୍ଡ ପ୍ରସଙ୍ଗରେ ସମ୍ପୃକ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରାଯାଇ ଗିରଫ କରାଯାଉ । ଏହି ଦାବୀରେ ଆସନ୍ତା ୨୬ ଓ ୨୭ ଦୁଇଦିନ ଧରି ଯୁବମୋର୍ଚ୍ଚା ତରଫରୁ ରାଜ୍ୟର ସମସ୍ତ ଜିଲ୍ଲା ଏସ୍ପି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଧାରଣା ପ୍ରଦର୍ଶନ କରାଯିବ ବୋଲି ବୋଲି ଯୁବ ମୋର୍ଚ୍ଚା ସଭାପତି ଇରାଶିଶ୍ ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ୨୧ବର୍ଷ ଶାସନ କାଳରେ ନାରୀ ନିର୍ଯାତନାର ଆଉ ଏକ କଳାଫର୍ଦ୍ଦ ଯୋଡି ହୋଇଛି । ରାଜ୍ୟ ସରକାର ଓ ଶାସକ ଦଳ ଦୋଷୀକୁ ଘଂଟ ଘୋଡାଉଛନ୍ତି ଏହା ଅତ୍ୟନ୍ତ ଲଜ୍ଜାଜନକ ଘଟଣା ଅଟେ । ଏହି ଘଟଣା ନୂଆ ନୁହେଁ ମାଧବୀଲତା, ଇତିଶ୍ରୀ, ବେବିନା, କୁନ୍ଦୁଲୀ ପୀଡିତା, ପରୀ, ସ୍ମିତାରାଣୀ, ମାହାଙ୍ଗା ଡବଲ୍ ମର୍ଡର, ସୌମ୍ୟରଞ୍ଜନଙ୍କ ଭଳି ବର୍ତମାନ ମମିତା ମେହେର୍ ଯିଏକି ସନସାଇନ ସ୍କୁଲର ଶିକ୍ଷୟିତ୍ରୀ ତାଙ୍କୁ ଅପହରଣ କରି ହତ୍ୟା କରାଗଲା । ଶାସକ ବିଜେଡିର ଚାପରେ ପୋଲିସ୍ ଜାଣିଶୁଣି କେସ୍ରେ ଅବହେଳା କରୁଛି । ଲୋକଦେଖାଣିଆ ଭାବରେ ଜଣେ ପୋଲିସ୍ ଅଧିକାରୀଙ୍କୁ ସସପେଣ୍ଡ୍ କରାଯାଇ ମନ୍ତ୍ରୀଙ୍କୁ ଖସେଇ ଦେବାର ଚକ୍ରାନ୍ତ କରାଯାଉଛି ବୋଲି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।
ମୃତ ଶିକ୍ଷୟିତ୍ରୀ ମମିତା ଦୀର୍ଘ ୭ମାସ ଧରି ଛୁଟିରେ ଘରେ ଥିଲେ ତାଙ୍କୁ ଅଭିଯୁକ୍ତ ଗୋବିନ୍ଦ ସାହୁ ଚକ୍ରାନ୍ତ କରି ଘରୁ ଡାକିଥିଲା ବୋଲି ପୋଲିସ୍ ନିଜେ ପ୍ରକାଶ କରିଛି । ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଅନୈତିକ କାରବାରରେ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ସମ୍ପୃକ୍ତି ସମ୍ପର୍କରେ ମମିତାଙ୍କ ପିତା ମାତାଙ୍କ ବାରମ୍ବାର ଅଭିଯୋଗ ସତ୍ୱେ ମାଜିଷ୍ଟ୍ରେଟ୍ଙ୍କ ଆଗରେ କାହିଁକ ବୟାନ୍ ରେକର୍ଡ କରାଯାଇନାହିଁ? ପୋଲିସ ବିଭାଗକୁ ହାତବାରିସୀ କରି ଶାସକ ବିଜେଡି ଏଭଳି ଜଘନ୍ୟ ଓ ବର୍ବରୋଚିତ ହତ୍ୟାକାଣ୍ଡକୁ ଦିଗହରା କରିବା ପାଇଁ ହୀନ ପ୍ରଚେଷ୍ଟା ଓ ଷଡଯନ୍ତ୍ର କରୁଛନ୍ତି । ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରାଯାଇ ଗିରଫ କରି ତଦନ୍ତ ପରିସରଭୁକ୍ତ କରିବା ସହ ଯଥାଶୀଘ୍ର ଏହି ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରାଯାଉ ବୋଲି ଶ୍ରୀ ଆଚାର୍ଯ୍ୟ ଦାବୀ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ସୁଶ୍ରୀ ଅର୍ପିତା ଅପରାଜିତା ବଡଜେନା, ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଦୀପକ ଗୋଚ୍ଛାୟତ ଓ ମନୋଜ ପଶ୍ଚିମ କବାଟ, ଯୁବ ମୋର୍ଚ୍ଚା ମିଡିଆ ରାଜ୍ୟ ସଂଯୋଜକ ସୁଜିତ୍ ସାହୁ ଉପସ୍ଥିତ ଥିଲେ ।