-
ବ୍ୟାଗ୍ କୁ ଚିହ୍ନଟ କଲେ ମା
-
ଅନ୍ୟ ତିନି ହଳ ଡ୍ରେସ୍, ମୋବାଇଲ ତାଙ୍କ ଝିଅର ନୁହେଁ
ବଲାଙ୍ଗିର, କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗ ସନ ସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ମୃତ ମମିତାଙ୍କ ବ୍ୟାଗ୍ କୁ ଚିହ୍ନଟ କରିଛନ୍ତି ତାଙ୍କ ମା । ମମିତାଙ୍କ ବଡ଼ବାପା ଏନେଇ ସୂଚନା ଦେଇଛନ୍ତି । ଏହି ବ୍ୟାଗ୍ ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଡ୍ରାଇଭର ରାଧେଶ୍ୟାମ ଚଣ୍ଡୀର ଘରୁ ଜବତ ହୋଇଥିଲା । କିନ୍ତୁ, ଆଉ ଯେଉଁ ମୋବାଇଲ୍ କଥା ଉଠୁଛି, ତାହା ମମିତାଙ୍କର କି ନୁହେଁ, ଏବଂ ଏହା କାହାର ମୋବାଇଲ୍ ସେ ସମ୍ପର୍କରେ ସେ ଜାଣିନଥିବା କହିଛନ୍ତି । ସେହିପରି ଅନ୍ୟ ତିନି ହଳ ଡ୍ରେସ୍ ତାଙ୍କ ଝିଅର ନୁହେଁ ବୋଲି ସେ କହିଛନ୍ତି । ତେବେ ସୁନା ଚେନ୍ ଓ ରୂପା ପାଉଁଜି ମମିତାଙ୍କର ବୋଲି ତାଙ୍କ ମା ଚିହ୍ନଟ କରିଥିଲେ ।
ମମିତାଙ୍କ ବଡ଼ବାପା କୌଶିକ ମେହେର କହିଛନ୍ତି ଯେ, ପୋଲିସ ସୁନା ଚେନ୍, ପାଉଁଜି, ବ୍ୟାଗ୍, ଡ଼୍ରେସ୍ ଆଦି ମମିତାଙ୍କ ମାଙ୍କୁ ଦେଖାଇଥିଲେ । ସେ ମଧ୍ୟରୁ ମମିତାଙ୍କ ସୁନା ଚେନ୍ ଓ ରୂପା ପାଉଁଜି ଓ ବ୍ୟାଗକୁ ତାଙ୍କ ମାଆ ସ୍ପଷ୍ଟ ଭାବେ ଚିହ୍ନଟ କରିଥିଲେ । ତେବେ ମୋବାଇଲ୍ ଓ ତିନି ହଳ ଡ଼୍ରେସ୍ କୁ ସେ ଏହା ମମିତାଙ୍କର ନୁହେଁ ବୋଲି କହିଥିଲେ । ଏବଂ ତାହା କାହାର ସେ ସମ୍ପର୍କରେ ମଧ୍ୟ ସେ କିଛି ଜାଣିନଥିବା କହିଥିଲେ । ଏବଂ ଆଗାମୀ ଦିନରେ ଏହି ମାମଲା କେଉଁଠାରେ ଶୁଣାଣି ହେଲେ ଠିକ୍ ହେବ, ତାଙ୍କ ମା ଏନେଇ ଲେଖିକରି ଦେଇଛନ୍ତି । ଫାଷ୍ଟଟ୍ରାକ୍ କୋର୍ଟରେ ମାମଲାର ଶୁଣାଣି ହେଲେ ଭଲ ହେବ ବୋଲି ମମିତାଙ୍କ ମା ମତ ରଖିଛନ୍ତି ।