
-
ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏସପି ଅଫିସ୍ ଘେରାଉ
ଭବାନୀପାଟଣା, କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗ ସନ ସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ବହିଷ୍କାର ଦାବି ଜୋର୍ ଧରିଛି । ଘଟଣାକୁ ନେଇ ଆଜି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇଛି ।
ଏହି ପରିପ୍ରେକ୍ଷୀରେ ପୂର୍ବାହ୍ନ ୧୧ଟାରେ ବିଜେପି ଯୁବମୋର୍ଚ୍ଚାର ଏକ ପ୍ରତିବାଦ ଶୋଭାଯାତ୍ରା ଭବାନୀପାଟଣା ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରୁ ବାହାରି ଏସପି ଅଫିସ ନିକଟରେ ପହଂଚି ଥିଲା । ସେଠାରେ ମୁଖ୍ୟମନ୍ତ୍ରୀ ହାଏ ହାଏ, ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର ଓ ଗିରଫ ଦାବିରେ ନାରାବାଜି ହୋଇଥିଲା । ପୋଲିସ ମନ୍ତ୍ରୀଙ୍କୁ କାହିଁକି ତଦନ୍ତ ପରିସରଭୁକ୍ତ କରୁନାହିଁ ତାକୁ ନେଇ ପ୍ରଶ୍ନ ଉଠାଇଥିଲେ । ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏହି ଘେରାଉ ଜାରୀ ରହିଛି । ଯୁବମୋର୍ଚ୍ଚାର ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟ, ଜିଲ୍ଲା ଯୁବମୋର୍ଚ୍ଚାର ସଭାପତି ବିଜୟଦେବ ସାହୁଙ୍କ ନେତୃତ୍ୱରେ ଶତାଧିକ ଦଳୀୟ କର୍ମୀ ଏଥିରେ ସାମିଲ୍ ହୋଇଛନ୍ତି ।ପ୍ରକାଶ ଥାଉକି, ଯଦି ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତେବେ ଏସ.ପି. ଅଫିସକୁ ଘେରାଉ କରାଯିବ ବୋଲି ପୂର୍ବରୁ ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଥିଲା । ଏହି କ୍ରମରେ ଆଜି ଏସପି ଅଫିସ ଘେରାଉ କରାଯାଇଛି ।