ଭୁବନେଶ୍ୱର, ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ହତ୍ୟାକାଣ୍ଡ ମାମଲାରେ କମିଶନରେଟ୍ ପୋଲିସ ତିନିଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ରହିଛନ୍ତି ହୋଟେଲ ସାଉଥ ସିଟି ବାର ମାଲିକ ପ୍ରଦ୍ୟୁମ୍ନ ଜେନା, ବାର୍ ମ୍ୟାନେଜର ଓ କନେଷ୍ଟବଳ ପ୍ରସନ୍ନ ବେହେରା । କୋଭିଡ ଗାଇଡଲାଇନ ଉଲଙ୍ଘନ କରିବା, ବେଆଇନ ଭାବେ ବାର ଖୋଲିବା ଓ ଅପରାଧିକ ଷଡଯନ୍ତ୍ର କରିବା ଅଭିଯୋଗରେ ଏମାନଙ୍କୁ ଗିରଫ କରାଯାଇଛି । ଗିରଫ ତିନି ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ପ୍ରସନ୍ନ ବେହେରାଙ୍କ ନାମରେ ଦଫା ୧୨୦(ବି), ୨୬୯, ୨୭୦, ୫୨ ଅବକାରି ଆକ୍ଟ, ୩, ୫, ୯୬ରେ ତମାଣ୍ଡୋ ଥାନା ପୋଲିସ ମାମଲା ରୁଜୁ କରିଛି ।
ଉଲ୍ଲେଖ୍ୟଯୋଗ୍ୟ ଯେ ଗତକାଲି କନେଷ୍ଟବଳ ପ୍ରସନ୍ନ ବେହେରାଙ୍କୁ ନିଲମ୍ବନ କରାଯାଇଛି । ସେହିପରି ଗତକାଲି ହୋଟେଲ ସାଉଥ ସିଟିରେ ଚଢ଼ାଉ କରଯାଇଥିଲା । ଏହି ସମୟରେ ସେଠାରୁ ବିପୁଳ ପରିମାଣର ମଦ ଓ ନକଲି ଟଙ୍କା ଜବତ ହୋଇଥିଲା । ଗତ ୧୦ ତାରିଖ ଦିନ ପାତ୍ରପଡାର ଏକ ପୋଖରୀରୁ ମନିଷଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଶେଷଥର ପାଇଁ ମନୀଷ ଅନୁରାଗଙ୍କୁ ତାଙ୍କ ସାଙ୍ଗମାନଙ୍କ ସହିତ ପାତ୍ରପଡ଼ା ସ୍ଥିତ ଏହି ସାଉଥ୍ ସିଟି ହୋଟେଲ୍ ବାରରେ ଦେଖିବାକୁ ମିଳିଥିଲା । ଏହି ବାରକୁ ହାବିଲଦାର-କନଷ୍ଟେବଳ ସଂଘର ସଂପାଦକ ପ୍ରସନ୍ନ ବେହେରା ବେଆଇନ୍ ଭାବେ ଚଳାଇଥିଲେ । ସାଉଥ୍ ସିଟି ହୋଟେଲ୍ ବାରର ମାଲିକ ପ୍ରଦ୍ୟୁମ୍ନ ଜେନା ହୋଇଥିବା ବେଳେ ପ୍ରସନ୍ନ ନିଜ ଭାଇ ନାମରେ ଲିଜ୍ ନେଇ ଏହାକୁ ଚଳାଉ ଥିଲେ । କିନ୍ତୁ କୋଭିଡ୍ ନିୟମକୁ ଉଲ୍ଲଂଘନ କରି ଉକ୍ତ ବାର୍ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହୁଥିଲା ।