-
ଜିଲ୍ଲାର ୨୧ ଲକ୍ଷ ୪୦ ହଜାର ପାଇବେ ସ୍ମାର୍ଟ ହେଲ୍ଥ କାର୍ଡ
-
ସ୍ମାର୍ଟ ହେଲ୍ଥ କାର୍ଡ ହେଉଛି ବିପଦ ସମୟରେ ଶ୍ରେଷ୍ଠ ବନ୍ଧୁ
-
ମୟୁରଭଞ୍ଜରେ ୨୦୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁୁବନେଶ୍ୱର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୟୁରଭଞ୍ଜ ଜିଲ୍ଲା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍ଥ କାର୍ଡ ବଂଟନର ଶୁଭାରମ୍ଭ କରିଛନ୍ତି । ଜିଲ୍ଲାର ୨୧ ଲକ୍ଷ ୪୦ ହଜାର ଲୋକ ଏହି ସୁବିଧା ପାଇବେ । ପୂର୍ବରୁ ରାଜ୍ୟର ୬ଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।
ଏହି ଅବସରରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେପ୍ଟେମ୍ବର ୨୦୨୧ ଓଡିଶାର ସ୍ୱାସ୍ଥ୍ୟ ସେବା ଇତିହାସରେ ଏକ ନୂଆ ଯୁଗ ଆରମ୍ଭ କରିଛି । ସେପ୍ଟେମ୍ବର ପହିଲାରୁ ଓଡିଶାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍ଥ କାର୍ଡ ଜରିଆରେ ସ୍ୱାସ୍ଥ୍ୟ ସେବା ପ୍ରଦାନ ଆରମ୍ଭ ହୋଇଛି । ଏହି କାର୍ଡଟି ବିପଦ ସମୟର ପ୍ରକୃତ ବନ୍ଧୁ ବୋଲି କହିଥିଲେ । ଏହାଦ୍ୱାରା ଜନସାଧାରଣଙ୍କ ଜୀବନରେ ବଡ ପରିବର୍ତନ ଆଣିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ । ମୁଖ୍ୟମନ୍ତ୍ରୀ କହିଲେ ଯେ ସ୍ମାର୍ଟ ହେଲ୍ଥ କାର୍ଡ ଦ୍ୱାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ ।
ମୟୁରଭଞ୍ଜ ଜିଲ୍ଲାରେ ବିକାଶ କାମକୁ ତ୍ୱରାନ୍ୱିତ କରାଯାଉଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଗତ ଜୁଲାଇରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପରେ କେନାଲରୁ ପାଣି ଛଡା ଯାଇଥିବା ବେଳେ, ୯୪ଟି ଗାଁର ୧୫ ହଜାର ହେକ୍ଟର ଜମି ପାଣି ପାଉଛି । ସେହିପରି ମୟୁରଭଂଜର ସବୁ ପରିବାରକୁ ପାଇପ ପାଣି ଯୋଗାଇ ଦେବା ପାଇଁ ୩୨୦୦ କୋଟି ଟଙ୍କାର ମେଗା ପାଇପ ପାଣି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ଧାରାକୁ ଆଗେଇ ନେଇ ଆଜି ଆହୁରି ୨୩୦୦ କୋଟି ଟଙ୍କାର ୫୦୦ରୁ ଅଧିକ ପ୍ରକଳ୍ପର ଉଦ୍ଘାଟନ ଓ ଭିତିପ୍ରସ୍ତର ଦିଆଯାଉଛି ବୋଲି ସେ ପ୍ରକାଶ କରିଥିଲେ ।
ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ମୟୁରଭଞ୍ଜ ମାଟିରେ ଜନ୍ମ ନେଇଥିବା ମହାପୁରୁଷ ଓ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ମହାରାଜ ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ, ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଅବଦାନକୁ ମନେ ପକାଇବା ସହ ଭାଷା ଓ ଜାତିକୁ ସଶକ୍ତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପଣ୍ଡିତ ରଘୁନାଥ ମୁର୍ମୁ, ଗୁରୁ ରୋହିଦାସ ସିଂ ନାଗ ଓ ଗୁରୁ ଲାକୋ ବଦ୍ରାଙ୍କ ଅବଦାନକୁ ସ୍ମରଣ କରିଥିଲେ । ମୟୁରଭଞ୍ଜର କଳା ଓ ସାହିତ୍ୟର ଉଚ୍ଚପ୍ରଶଂସା କରି ଝୁମର ଗୀତ ଓ ଛଉ ନାଚର ପ୍ରସିଦ୍ଧି ସଂପର୍କରେ ଆଲୋକପାତ କରିଥିଲେ ।
କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ପ୍ରମୁଖ ଯୋଗ ଦେଇ ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତାର ଉଚ୍ଚପ୍ରଶଂସା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସଂପନ୍ନ ନେତୃତ୍ୱ ଯୋଗୁ ଓଡିଶା କରୋନା ସମୟରେ ୧୮ଟି ରାଜ୍ୟକୁ ଅକ୍ସିଜେନ ଯୋଗାଇ ବହୁ ଜୀବନ ରକ୍ଷା କରିପାରିଥିଲା । ସ୍ମାର୍ଟ ହେଲଥ୍ କାର୍ଡ ଲୋକଙ୍କୁ ଉତମ ସ୍ୱାସ୍ଥ୍ୟ ଯୋଗାଇ ଦେବା ପାଇଁ ଏକ ଐତିହାସିକ ପଦକ୍ଷେପ ବୋଲି ସେମାନେ ବର୍ଣ୍ଣନା କରିଥିଲେ ।