ଭୁୁବନେଶ୍ୱର, ନିଜର ସ୍ଥିତି ଜାହିର ପାଇଁ ଓଡିଶା ବିଜେପି ଏବେ ସ୍ପର୍ଶକାତର ମାମଲାରେ ନିମ୍ନମାନର ରାଜନୀତି କରୁଛି । ପୀଡିତା କିମ୍ବା ତାଙ୍କ ପରିବାର କିଭଳି ନ୍ୟାୟ ପାଇବେ ସେ ଦିଗରେ ଚିନ୍ତା କରିବା ବଦଳରେ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ବଦନାମ ପାଇଁ ଅପଚେଷ୍ଟା ଚଳାଇଛି ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ସୁଶ୍ରୀ ଇପ୍ସିତା ସାହୁ ।
ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ପ୍ରବକ୍ତା ସୁଶ୍ରୀ ସାହୁ କହିଛନ୍ତି ଯେ ମମିତା ମେହେର ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ଆଉ କିଛି ବ୍ୟକ୍ତି ଗିରଫ ହୋଇଛନ୍ତି । ପୀଡିତାଙ୍କ ପରିବାରକୁ ନ୍ୟାୟ ଦେବାପାଇଁ ପୁଲିସ ଏହାର ତଦନ୍ତ ଜାରି ରଖିଛି । ଏହି ଘଟଣାରେ ପୀଡିତା ପରିବାରକୁ ଉଚିତ ନ୍ୟାୟ ମିଳିବ । ରାଜ୍ୟ ପୁଲିସ ଓ ନ୍ୟାୟ ବ୍ୟବସ୍ଥା ଉପରେ ଆସ୍ଥା ପ୍ରକଟ କରିବା ପରିବର୍ତେ ରାଜ୍ୟ ବିଜେପି ନେତାମାନେ ଗଣମାଧ୍ୟମରେ ନିଜର ମୁହଁ ଦେଖାଇବା ପାଇଁ ଆଜି ରାଜଧାନୀରେ ଯେଭଳି ଏଫଆଇର ଡ୍ରାମା କରିଛନ୍ତି ତାହା ଅତ୍ୟନ୍ତ ହାସ୍ୟାସ୍ପଦ । ବିଜେପିର ଏଭଳି ହୀନ ରାଜନୀତି ପ୍ରତି ଓଡିଶାବାସୀ ବେଶ ଭଲଭାବେ ଅବଗତ ଅଛନ୍ତି । ଏଥିପାଇଁ ଅତୀତରେ ବିଜେପିକୁ ବହୁମୂଲ୍ୟ ଦେବାକୁ ପଡିଥିବା ବେଳେ ଅଭ୍ୟାସରେ ପରିବର୍ତନ ନ କଲେ ଆଗାମୀ ଦିନରେ ଓଡିଶାବାସୀ ବିଜେପିକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖାନ କରିବେ ବୋଲି ସୁଶ୍ରୀ ସାହୁ ଚେତାଇ ଦେଇଛନ୍ତି ।