ଜୟପାଟଣା – ସ୍ୱାଧିନତାର ପରବର୍ତ୍ତୀ ଅବସ୍ଥାରୁ ଲୋକେ ଜୟପାଟଣା ଅଞ୍ଚଳ ଓ ନବରଙ୍ଗପୁର ଜିଲ୍ଳା ସାଙ୍ଗରେ ସଂଯୋଗ ଅପେକ୍ଷାରେ ରହିଥିବା ବେଳେ ଏବେ ସରକାରୀ ସ୍ତରରେ ତତ୍ପରତା ଦେଖିବାକୁ ମିଳୁଛି । ବିଭିନ୍ନ ବିଭାଗ ଦ୍ୱାରା ଏହି ସବୁ ସଂଯୋଗରୁ ବଞ୍ଚିତ ଥିବା ଅନ୍ତଃ ବ୍ଳକ୍ ଅନ୍ତଃ ଜିଲ୍ଳା ସଡ଼କକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ଇଚ୍ଛା ପ୍ରକାଶ କରି ଚିଠି ମାଧ୍ୟମରେ ସଂପୃକ୍ତ ବିଭାଗ ସହିତ ବ୍ଳକ୍ ମାନଙ୍କୁ ମଧ୍ୟ ସୂଚିତ କରିଥିବା ଜଣାପଡ଼ିଛି । ଏହି ଯୋଜନା ସଫଳ ହେଲେ ଢ଼ୁଲୁ ଘାଟି ପାବଲି ଘାଟି ରାସ୍ତା ସମ୍ପୂର୍ଣ୍ଣ ହୋଇ ପାରିବ ବୋଲି । ଅନେକ ଦିନ ଧରି ସ୍ୱପ୍ନ ଦେଖି ଆସିଥିବା ଜୟପାଟଣା ଅଞ୍ଚଳବାସୀଙ୍କ ପାଇଁ ଶୁଭ ସଂକେତ ସହ ବର୍ଷ ବର୍ଷ ଧରି ଜମାଟ୍ ବନ୍ଧା ଅବଶୋଷ ବାସ୍ତବତାର ରୂପ ନେଲେ ଅଞ୍ଚଳ ପାଇଁ ସାମାଜିକ ସମ୍ପର୍କ ସହିତ ଅର୍ଥନୈତିକ ଅଭିବୃଦ୍ଧି ନବରଙ୍ଗପୁର ଜିଲ୍ଳା ସାଙ୍ଗରେ ବିକାଶର ସହାୟକ ହେବ ବୋଲି ଆଲୋଚନା ହେଉଛି ।
ସୂଚନାରୁ ପ୍ରକାଶ ଯେ, ଡ଼େପୁଟି କମିଶନର କମ୍ ଏଡ଼ିସିନାଲ ସେକ୍ରେଟେରୀ ପ୍ଳାନିଂ ଓ କଡ଼ିନେଶନ୍ ବିଭାଗ ଚିଠି ନଂ. ୧୦୩୫୦(୫) ତା.୧୬.୦୯.୨୦୧୯ ଅନୁସାୟୀ, ରାଜ୍ୟର ସଂଯୋଗ ଯୋଜନାମାନଙ୍କରୁ ଅନ୍ତଃ ବ୍ଳକ୍ ଓ ଅନ୍ତଃ ଜିଲ୍ଳା ସଡ଼କ ମାନଙ୍କୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସ୍ତରରେ ସରକାରଙ୍କ ଦ୍ୱାରା ଚିଠା ପ୍ରସ୍ତୁତ ହୋଇଥିବା ଜଣାପଡ଼ୁଛି । ଏହି ଯୋଜନା ଆଞ୍ଚଳିକ ବିକାଶ ସାଙ୍ଗରେ ଜଡ଼ିତ ଥିବାରୁ ଯୋଜନା କାର୍ଯ୍ୟକାରୀ ହେଲେ ପଛୁଆ ଅଞ୍ଚଳର ବିକାଶ ସାଧିତ ହୋଇପାରିବ ବୋଲି ସାଧାରଣରେ ଆଲୋଚନା ହେଉଛି । କଳାହାଣ୍ଡି ଜିଲ୍ଳା ଜୟପାଟଣା ବ୍ଳକ୍ ର ଅଦିବାସୀ ଅଧ୍ୟୁଷିତ ଇଲାକା ଧନଶୁଲି ପଞ୍ଚାୟତର ଭାଲୁଯୋର ନିକଟ ଢ଼ୁଲୁ ଘାଟି ଦେଇ ନବରଙ୍ଗପୁର ଜିଲ୍ଳାର ତେନ୍ତୁଳିଖୁଣ୍ଟି ବ୍ଳକ୍ ସାଙ୍ଗରେ ସ୍ୱାଧିନତା ପୂର୍ବରୁ ରହି ଆସିଥିବା ପାହାଡ଼ି ରାସ୍ତାକୁ ସବୁ ଦିନିଆ ଏକ ପୂର୍ଣ୍ଣାଙ୍ଗ ସଡ଼କର ଦାବୀ ହୋଇ ଆସିଛି । ଏବେ ମଧ୍ୟ ଏହି ପଥୁରିଆ ରାସ୍ତା ଦେଇ ଦୈନିକ ଶହ ଶହ ଲୋକଙ୍କ ଯାଅ ଆସ ଚାଲିଥାଏ । ପନିପରିବା ସହିତ ନରଙ୍ଗପୁର ଓ କଳାହାଣ୍ଡି ଜିଲ୍ଳା ପାର୍ଶ୍ବବର୍ତୀ ଲୋକ ବ୍ୟବସାୟ, ସାମାଜିକ, ସ୍ୱାସ୍ଥ୍ୟ ସେବା ଓ ସାଂସ୍କୃତିକ ବନ୍ଧନ ସାଙ୍ଗରେ ବାନ୍ଧି ହୋଇ ଥାଆନ୍ତି । ଏହି ରାସ୍ତା ପ୍ରଶସ୍ତିକରଣ ଯାନ ବାହାନ ଯାତାୟତ ପାଇଁ ସୁଗମ କରିବା ସକାଶେ ଧନଶୁଲି ମଙ୍ଗଳପୁର ପଞ୍ଚାୟତ ଅଞ୍ଚଳର ଅଧିବାସୀମାନେ ଏକଜୁଟ ହୋଇ ଜାନୁୟାରୀ ୨୬ ତାରିଖ ୨୦୧୧ ମସିହାରେ ଶହ ଶହ ସଂଖ୍ୟାରେ ଠୁଳ ହୋଇ କୋଡ଼ି କୋଦାଳ ଧରି ୧୫ ଦିନ କାଳ ଅକ୍ଳାନ୍ତ ଶ୍ରମ ଦାନ କରି ୩ କି.ମି. ରାସ୍ତା ନିର୍ମାଣ ପୂର୍ବକ ଇତିହାସ ସୃଷ୍ଟି କରିଥିଲେ । ଦାରିଦ୍ରତାର ସୀମାରେଖା ତଳେ ରହି ଆସିଥିବା ଏହି ମଣିଷମାନେ ଶ୍ରମଦାନ ମାଧ୍ୟମରେ ସରକାରୀଙ୍କୁ ନିଜର ଇଚ୍ଛାଶକ୍ତି ଜଣେଇ ଦେଇଥିଲେ । କିନ୍ତୁ ସରକାର ଏମାନଙ୍କ ଭାବକୁ ଗ୍ରହଣ କରିବା ପୂର୍ବରୁ ଗୋଟିଏ ବର୍ଷାରେ ସମସ୍ତ ପରିଶ୍ରମ ପାଣି ଫାଟି ଗଲା । ଆଜି ପର୍ଯ୍ୟନ୍ତ ନିର୍ବାଚନ ସମୟରେ ପ୍ରସଙ୍ଗ ପାଲୁଟୁଥିବା ଢ଼ୁଲୁ ଘାଟିରେ ନେତାଙ୍କର ଇଚ୍ଛାଧିନ ଉନ୍ନୟନ କାର୍ଯ୍ୟ, ରକ୍ତ ନିଗାଡ଼ି ଥିବା ଗରିବ ମାନଙ୍କୁ ଉପହାସ କରୁଛି ବୋଲି ଆଲୋଚନା ହେଉଛି । ଇତିମଧ୍ୟରେ ପି.ଡ଼ବ୍ଳ୍ୟୁ.ଡ଼ି ବିଭାଗ ଜୟପାଟଣା କଲେଜ ଛକ ଠାରୁ ନବରଙ୍ଗପୁର ସିମାନ୍ତ ପର୍ଯ୍ୟନ୍ତ ୩୫ କି.ମି. ସଡ଼କ ଅଧିଗ୍ରହଣ କରି ସାରିଥିବା ବେଳେ ଏହି ସଡ଼କକୁ ଖୁବ୍ ଶିଘ୍ର କାର୍ଯ୍ୟ ସଂପାଦନ କରିବା ପାଇଁ ଦାବୀ ହେଉଛି । ବର୍ତ୍ତମାନ ଜୟପାଟଣାରୁ ନବରଙ୍ଗପୁର ୯୦ କି.ମି. ପଡ଼ୁଥିବା ବେଳେ ଏହି ସଡ଼କ ନିର୍ମାଣ ହେଲେ ମୋଟ ୩୯ କି.ମି. ପଡ଼ିବ ବୋଲି ଶୁଣିବାକୁ ମିଳୁଛି । ସଡ଼କ ପୂର୍ଣ୍ଣାଙ୍ଗ ଧନଶୁଲୀ ଅଞ୍ଚଳ ପାଇଁ ଜୀବନ ରେଖା ପାଲଟିବା ସହିତ ଜୟପାଟଣା ଅଞ୍ଚଳ ପାଇଁ ସଂଯୋଗ ଦୃଷ୍ଟିରୁ ଏକ ନୂତନ ଇତିହାସ ଲେଖା ହେବ ବୋଲି ଆଲୋଚନା ହେଉଛି ।