ଭୁବନେଶ୍ୱର, ପୂର୍ବତନ ଉପବାଚସ୍ପତି ପ୍ରହଲ୍ଲାଦ ଦୋରାଙ୍କ ବିୟୋଗରେ ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି । ସ୍ୱର୍ଗତ ଦୋରା ଚିତ୍ରକୋଣ୍ଡା ଏବଂ ମାଲକାନଗିରି ବିଧାୟକ ଭାବେ ଉଲ୍ଲେଖନୀୟ କାର୍ଯ୍ୟ କରିବା ସହ ଦୁଇ ଥର ଉପବାଚସ୍ପତି ପଦ ମଣ୍ଡନ କରି ବିଧାନସଭାର ଗାରିମା ରକ୍ଷା କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ତାଙ୍କ ବିୟୋଗରେ ସାମାଜିକ ଓ ରାଜନୈତିକ ଜୀବନରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେଲା ବୋଲି ସେ ତାଙ୍କ ଶୋକ ବାର୍ତାରେ କହିଛନ୍ତି । ସେହିପରି ଉପବାଚସ୍ପତି ରଜନୀକାନ୍ତ ସିଂ ମଧ୍ୟ ସ୍ୱର୍ଗତ ଦୋରାଙ୍କୁ ଜଣେ ଅମାୟିକ ବ୍ୟକ୍ତିତ୍ୱ, ନିଷ୍କଳଙ୍କ ରାଜନୈତିକ ଜୀବନର ପ୍ରତୀକ ଭାବେ ବର୍ଣ୍ଣନା କରି ସ୍ୱର୍ଗତ ଆତ୍ମାର ସଦଗତି କାମନା କରିଛନ୍ତି ।