ଜୟପାଟଣା – ମୋ ସ୍କୁଲ ଅଭିଯାନ ଅନ୍ତର୍ଗତ ଜୟପାଟଣା ବ୍ଳକ୍ ହିରାପୁର ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ପୁରାତନ ଛାତ୍ର ଓ ସରକାରଙ୍କ ସହାୟତାରେ ସାଇକେଲ ଷ୍ଟାଣ୍ଡ ଓ ସ୍ୱଚ୍ଛ ପାନୀୟ ଜଳ ପାଇଁ ନିର୍ମାଣ ହୋଇଥିବା ପ୍ରକଳ୍ପ ଲାଞ୍ଜିଗଡ଼ ବିଧାୟକଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ବିଧାୟକ ନିଜେ ସେହି ବିଦ୍ୟାଳୟର ପୁରାତନ ଛାତ୍ର ହୋଇଥିବାରୁ ବିଧାୟକ ପାଣ୍ଠି ଓ ନିଜ ମାସକ ଦରମାର ୫୦ ପ୍ରତିଶତ ସ୍କୁଲକୁ ପ୍ରଦାନ କରିବାର ପ୍ରତିଶୃତି ସ୍ଥାନୀୟ ଜନ ସାଧାରଣଙ୍କ ମଧ୍ୟରେ ଏକ ନୂତନ ଜାଗୃତି ସୃଷ୍ଟି କରୁଛି । ସେହିପରି ପୁରାତନ ଛାତ୍ରୀ ଲକ୍ଷ୍ମୀ ଚଳାନ ନିଜର ସମସ୍ତ ଷ୍ଟାଇମେଣ୍ଟ୍ ରାଶି ସାଇକେଲ ଷ୍ଟାଣ୍ଡ ନିର୍ମାଣ ପାଇଁ ପ୍ରଦାନ କରି ସମ୍ବର୍ଦ୍ଧିତ ହୋଇଥିବା ଜଣାପଡ଼ିଛି ।
ସୂଚନାରୁ ପ୍ରକାଶ ଯେ, ମୋ ସ୍କୁଲ ଅଭିଯାନ ୨୦୧୭ ନଭେମ୍ବର ୧୪ ରୁ ଆରମ୍ଭ ହୋଇଥିବା ବେଳେ ହିରାପୁର ଉନ୍ନିତ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ରମାନଙ୍କ ୬୦ ହଜାର ଟଙ୍କା ବିଦ୍ୟାଳୟର ବିକାଶ ପାଇଁ ପାଣ୍ଠି ସଂଗ୍ରହ କରିଥିଲେ । ଓଡ଼ିଶା ସରକାର ମଧ୍ୟ ଜମା ରାଶିରୁ ଦୁଇ ଗୁଣା ବିଦ୍ୟାଳୟର ଜମା ଖାତାରେ ପ୍ରଦାନ କରିଥିଲେ । ସେହି ରାଶିରୁ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସାଇକେଲ ଷ୍ଟାଣ୍ଡ ନିର୍ମାଣ ଓ ସ୍ୱଚ୍ଛ ପାନୀୟ ଜଳର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଆୟୋଜିତ ଏହି ସମାରୋହରେ ଲାଞ୍ଜିଗଡ଼ ବିଧାୟକ ତଥା ପୁରାତନ ଛାତ୍ର ପ୍ରଦୀପ କୁମାର ଦିଶାରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଦୁଇଟି ଯୋଜନାକୁ ଲୋକାର୍ପିତ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ବ୍ଳକ୍ ଉପାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ରାଉତ, ଅତିରିକ୍ତ ବ୍ଳକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ ଖମାରୀ, ପୁରାତନ ଛାତ୍ର ତଥା ସରପଞ୍ଚ ମହେଶ୍ୱର ଦିଆରୀ, କୈଳାସ ଚନ୍ଦ୍ର ମାଝୀ, ପ୍ରଧାନ ଶିକ୍ଷକ ରଜନୀ କୁମାର ଠାକୁର, ସାମ୍ବାଦିକ ଶେଷଦେବ ବେହେରା, ଭାସ୍କର ପ୍ରସାଦ ବେହେରା, ଅସରଫ ଅଲ୍ଳି, ସ୍କୁଲ ଅଧ୍ୟକ୍ଷ ଭଗବାନ ବାଣୁଆଁ, ସି.ଆର୍.ସି.ସି. କ୍ଷମା ସାଗର ରାଉତ ମଞ୍ଚାସୀନ ଥିବା ବେଳେ ଶିକ୍ଷକ ମାଧବ ଚନ୍ଦ୍ର ପଣ୍ଡା ମଞ୍ଚ ପରିଚାଳନା କରିଥିଲେ । ଜୟପାଟଣା ବ୍ଳକ୍ ର ମୋ ସ୍କୁଲ ଅଭିଯାନରେ ଏହା ପ୍ରଥମ ଘଟଣା ହୋଇଥିବାରୁ ସ୍ଥାନୀୟ ଜନ ସାଧାରଣ ବେଶ୍ ଉତ୍ସାହିତ ଥିଲେ ।